ନୂଆଦିଲ୍ଲୀ: ବଲିଉଡ ଷ୍ଟାର୍ ସଲମାନ ଖାନ୍ଙ୍କୁ ବାରମ୍ବାର ହତ୍ୟା ଧମକ ଦେବା ଏବଂ ନିକଟରେ ତାଙ୍କ ଘର ଉପରକୁ ଗୁଳିମାଡ଼ ହେବା ମାମଲା ନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଚର୍ଚ୍ଚାରେ ରହିଛି। ଏବେ ତିହାର ଜେଲ୍ରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ତା’ର ବିଶାଳ ଗ୍ୟାଙ୍ଗ୍କୁ ବିଭିନ୍ନ ଉପାୟରେ ସକ୍ରିୟ ରଖିବାକୁ ସକ୍ଷମ ହୋଇଛି।
ପଞ୍ଜାବର ଫିରୋଜପୁରର ଏକ ଗ୍ରାମରେ ଜନ୍ମିତ ଲରେନ୍ସ ବିଷ୍ଣୋଇର ଏକାଧିକ ହତ୍ୟା ମାମଲା ସମେତ ୩୦ରୁ ଅଧିକ ସାଂଘାତିକ ଅପରାଧରେ ସିଧାସଳଖ ସମ୍ପୃକ୍ତି ରହିଛି । ବିଷ୍ଣୋଇ ସାରା ଦେଶରେ ୭୦୦ରୁ ଅଧିକ ସୁଟର୍ ଗ୍ୟାଙ୍ଗର ନେତୃତ୍ବ ନେଉଛି। ସେ ୨୦୧୦ରୁ ୨୦୧୨ ମଧ୍ୟରେ ଚଣ୍ଡିଗଡ଼ରେ ନିଜର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲା ଏବଂ ତା’ ବିରୋଧରେ ଅନୁପ୍ରବେଶ, ଆକ୍ରମଣ, ହତ୍ୟା ଉଦ୍ୟମ ଏବଂ ଡକାୟତି ଭଳି ଅପରାଧରେ ଅନେକ ମାମଲା ରୁଜୁ ହୋଇଥିଲା। ସେହିପରି ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରିବା, ମଦ କାରବାରରେ ପଶିବା ସମେତ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବିଷ୍ଣୋଇ ସିଧାସଳଖ ସମ୍ପୃକ୍ତ ରହିଛି। ବିଷ୍ଣୋଇ ଜେଲରେ ଥିବା ଅପରାଧୀଙ୍କ ସହ ମେଣ୍ଟ କରିବା, ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଏବଂ ସ୍ଥାନୀୟ ଅପରାଧୀଙ୍କ ସହ ସଂପର୍କରେ ରହି ତା’ ଗ୍ୟାଙ୍ଗ୍ର କାୟାବିସ୍ତାର କରିଛି।
ସେ ପୂର୍ବରୁ ଆଂକେ ଅପରାଧ କରିଥିବା ବେଳେ ଗତବର୍ଷ ଡିସେମ୍ବରରେ ଜୟପୁରର ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା ସଭାପତିଙ୍କୁ ଲରେନ୍ସ ଗ୍ୟାଙ୍ଗ ହତ୍ୟା କରିଥିଲା। ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଏବଂ ଲରେନ୍ସ ଗ୍ୟାଙ୍ଗ ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିଲା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରେ ଏବେ ପ୍ରାୟ ୧ ହଜାର ସଦସ୍ୟ ଥିବା ବେଳେ ସେମାନେ ମୁଖ୍ୟତଃ ବେଆଇନ ମଦ, ବେଆଇନ ଖଣି ଖନନ, ଜମି ବିକ୍ରି, ରିୟଲ ଇଷ୍ଟେଟ ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି। ଲରେନ୍ସ ଗ୍ୟାଙ୍ଗର ସଦସ୍ୟମାନେ ହରିୟାଣା ଏବଂ ରାଜସ୍ଥାନରେ ବେଆଇନ ମଦ ବିକ୍ରିକୁ ନେଇ ବିଶାଳ କାରବାର ଚଳାଇଛନ୍ତି ଏବଂ ବେଆଇନ ଖଣି ଖନନରେ ମଧ୍ୟ ସମ୍ପୃକ୍ତ ଥିବା ପ୍ରମାଣ ରହିଛି। ସେମାନେ ଖଲିସ୍ତାନୀ ସମର୍ଥକ ସଂଗଠନ ସହ ମଧ୍ୟ ଜଡ଼ିତ ଅଛନ୍ତି ଏବଂ ଭାରତ ବାହାରେ ସେମାନଙ୍କର ନେଟୱର୍କ ରହିଛି। କାନାଡ଼ାରୁ ଅପରାଧ ନେଟ୍ୱର୍କ ଚଳାଉଥବା ଗୋଲ୍ଡି ବ୍ରାର ହେଉଛି ଲରେନ୍ସ ଗ୍ୟାଙ୍ଗ୍ର ଅନ୍ୟତମ ପ୍ରମୁଖ ସଂଚାଳକ ଏବଂ ସେ ଖଲିସ୍ତାନୀ ଆତଙ୍କୀ ସଂଗଠନଗୁଡ଼ିକ ସହ ତାଳମେଳ ରଖି ଭାରତରେ ଅପରାଧ ଘଟାଇବାରେ ସକ୍ଷମ ହେଉଛି।