SUNSTARTV
ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ, ଦେବାଧି ଦେବ ମହାଦେବଙ୍କ ରୁକୁଣା ରଥ ଯାତ୍ରା, ବର୍ଷ ସାରା ଏହି ଦିନକୁ ଅପେକ୍ଷା କରିଥାନ୍ତି ଭକ୍ତ ମାନେ। ଅଶୋକାଷ୍ଟମୀ ପର୍ବ ସମଗ୍ର ଓଡ଼ିଶାରେ ଚୈତ୍ରମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ l ଇଂରାଜୀ ମାସ ଅନୁସାରେ ମାର୍ଚ୍ଚ କିମ୍ବା ଅପ୍ରେଲ ମାସରେ ପାଳିତ ହୋଇଥାଏ ମହାଦେବଙ୍କ ଏହି ବଡ ପର୍ବ l ଆଜିର ଦିନଟି ଦେବୀ ପାର୍ବତୀ ଓ ପ୍ରଭୁ ଲିଙ୍ଗରାଜ ଙ୍କୁ ସମର୍ପିତ କରାଯାଇଥାଏ l ଏହିଦିନ ଚୈତ୍ର ନବରାତ୍ରି ମହାଷ୍ଟମୀ ଦିନ ହୋଇଥାଏ l ଏହି ପର୍ବଟି ଉତ୍କଳ ରାଜ୍ୟର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ଅଟେ ଯାହାକୁ ରୁକୁଣା ରଥ ମଧ୍ୟ କୁହାଯାଏ l
କାହିଁକି କରାଯାଏ ଅଶୋକ ବୃକ୍ଷକୁ ପୂଜା:ଭାରତ ବର୍ଷର ପ୍ରଥମ ଅଶ୍ୱମେଧ ଯଜ୍ଞ ଅଶୋକ ବୃକ୍ଷ ମୂଳରେ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇ ଥିଲା l ତେଣୁ ଏହି ପର୍ବଟି ନାମ ଅଶୋକାଷ୍ଟମୀ l ଅନ୍ୟ ଗୋଟିଏ ମାନ୍ୟତା ଅନୁସାରେ ମାତା ପାର୍ବତୀ ଅଶୋକ ବୃକ୍ଷ ମୂଳରେ ତପସ୍ୟା କରି ଆଜିର ଦିନରେ ପ୍ରଭୁ ଶଙ୍କରଙ୍କୁ ଭେଟିଥିଲେ l ମାନ୍ୟତା ରହିଛି ଯେ ଅଶୋକାଷ୍ଟମୀ ଦିନ ପ୍ରଭୁ ରାମଚନ୍ଦ୍ର ଓ ମାତା ଜାନକୀ ଅଶୋକ ବୃକ୍ଷ କୁ ପୂଜା କରି ଶୋକ ରହିତ ହୋଇ ଥିବାରୁ ଆଜିର ଦିନଟି ଅଶୋକାଷ୍ଟମୀ ଭାବରେ ପାଳିତ ହୋଇଥାଏ l ଯେତେବେଳେ ରାବଣ ମାତା ଜାନକୀ ଙ୍କୁ ନେଇ ଅଶୋକ ବନରେ ରଖିଥିଲା ମାତା ଜାନକୀ ଆଜିର ଦିନରେ ଅଶୋକ କଳିକା ସେବନ କରି ଶୋକରୁ ରହିତ ହୋଇଥିଲେ l ମାନ୍ୟତା ରହିଛି ଯେ ପ୍ରଭୁ ରାମଚନ୍ଦ୍ର ଗୁରୁ ବଶିଷ୍ଠଙ୍କ ପରାମର୍ଶ କ୍ରମେ ଆଜିର ଦିନରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଶୋକ ରହିତ ହୋଇଥିଲେ l
ଶୈବ ପୁରାଣର ମାନ୍ୟତା ଅନୁସାରେ ଆଜିର ଦିନରେ ପ୍ରଭୁ ଲିଙ୍ଗରାଜ ରଥାରୋହଣ ହୋଇ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ ଦେଇଥିଲେ ଏବଂ ସେହିଦିନ ଠାରୁ ପ୍ରଭୁ ଲିଙ୍ଗରାଜ ରଥାରୋହଣ ହୋଇ ରାମେଶ୍ୱର ମନ୍ଦିର ନିକଟକୁ ଆସି ଥାଆନ୍ତି l ରୁକୁଣା ରଥର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ରୁକ୍ମିଣୀ l ଏହି ରଥର ଉଚ୍ଚତା ୩୫ ଫୁଟ , ହୋଇଥିବା ବେଳେ ପ୍ରସ୍ଥ ୨୦ ଫୁଟ,ହୋଇଥାଏ l ସେହିପରି ରଥରରେ ଅବସ୍ଥିତ ୪ଟି ଚକର ବ୍ୟାସ ଗୁଡିକ ହେଉଛି ୯ ଫୁଟ l ରୁକୁଣା ରଥର ନିର୍ମାଣ ବସନ୍ତ ପଞ୍ଚମୀ ଠାରୁ ଆରମ୍ଭ ହୋଇଥାଏ l ଲିଙ୍ଗରାଜଙ୍କ ରଥ କଦାପି ଜଗନ୍ନାଥଙ୍କ ରଥ ଭଳି ଦକ୍ଷିଣ ମୋଡ଼ ହୋଇ ନଥାଏ, ସେଥିପାଇଁ ଓଡ଼ିଆରେ ଅଛି ରୁକୁଣା ରଥ, ଅଣ ଲେଉଟା, ପାର୍ବତୀ ଚୋରାନ୍ତି ରଥର ପଟା l ‘
ଅଶୋକାଷ୍ଟମୀ ଦିନର ମାହାତ୍ମ୍ୟ:
* ମା ଶକ୍ତି ଅଶୋକାଷ୍ଟମୀ ମହୋତ୍ସବର ମୁଖ୍ୟ ଦେବୀ ଅଟନ୍ତି, ଏବଂ ଏହିଦିନ ସେହି ଦିବ୍ୟ ଦେବୀଙ୍କ ପୂଜାର୍ଚନା ପାଇଁ ସମର୍ପିତ ଅଟେ l ଭକ୍ତ ମାନେ ଗୋଟିଏ ସୁଖୀ ଓ ସମୃଦ୍ଧ ଜୀବନ ପାଇଁ ମାଙ୍କ ଆରାଧନା କରି ଥାଆନ୍ତି l
* ଅଶୋକାଷ୍ଟମୀ ମହୋତ୍ସବ ପ୍ରଭୁ ଲିଙ୍ଗରାଜଙ୍କ ପାଇଁ ଅନୁଷ୍ଠିତ ହୋଇଥାଏ, ଏହିଦିନ ଲିଙ୍ଗରାଜଙ୍କ ପ୍ରତିନିଧି ଦେବତା ଚନ୍ଦ୍ରଶେଖରଙ୍କୁ ଗୋଟିଏ ସୁସଜ୍ଜିତ ରଥରେ ସ୍ଥାପନା କରାଯାଇ ଥାଏ l ଏହାପରେ ଶ୍ରଦ୍ଧାଳୁମାନେ ଏହି ରଥକୁ ଟାଣି ଟାଣି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ନେଇଥାଆନ୍ତି l ଏହି ରଥଯାତ୍ରା ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ରଥଯାତ୍ରା ଅଟେ l
ସୁଖୀ ଓ ସୁନ୍ଦର ଦାମ୍ପତ୍ୟ ଜୀବନ ପାଇଁ ଆଜିର ଦିନରେ ସ୍ୱାମୀ ସ୍ତ୍ରୀ ଶିବ ପାର୍ବତୀଙ୍କୁ ଦର୍ଶନ କରିବା ଜରୁରୀ l
ରୋଗରୁ ମୁକ୍ତି ପାଇଁ ଆଜିର ଦିନରେ ଅଶୋକା ବୃକ୍ଷକୁ ପୂଜା କରନ୍ତୁ ଏବଂ ବୃକ୍ଷ ମୂଳରେ ଦୁଗ୍ଧ ଜାତୀୟ ପଦାର୍ଥ ଅର୍ପଣ କରନ୍ତୁ l
ଆଜିର ଦିନରେ ଯଦି ମହାଦେବ ନିକଟରେ ଅଖଣ୍ଡ ଘିଅ ଦୀପ ଟିଏ ଅର୍ପଣ କରିବେ ଜୀବନର ସମସ୍ତ କ୍ଳେଶ ଦୂର ହେବ l
ସନ୍ତାନ ପ୍ରାପ୍ତି ପାଇଁ ଆଜିର ଦିନରେ ମହାଦେବଙ୍କୁ ବେଲପତ୍ର ସହିତ ମହୁ ଅର୍ପଣ କରନ୍ତୁ ଏବଂ ଅଶୋକ ବୃକ୍ଷକୁ ମଧ୍ୟ ପୂଜା କରନ୍ତୁ l