ଆଫ୍ଗାନିସ୍ତାନ: ଆଫ୍ଗାନିସ୍ତାନରେ ବର୍ଷା ରୌଦ୍ର ରୂପ ଦେଖାଇଛି । ଫଳରେ ପ୍ରବଳ ବର୍ଷା ହେତୁ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ ଧ୍ୱଂସ ଘଟାଇଛି । ବର୍ଷା ପରେ ଆସିଥିବା ବନ୍ୟାରେ ଅତି କମ୍ରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୭ ଜଣ ଆହତ ହୋଇଛନ୍ତି । ତାଲିବାନ ପ୍ରବକ୍ତା ଅବଦୁଲ୍ଲା ଜନାନ ସାକ କହିଛନ୍ତି ଯେ ରାଜଧାନୀ କାବୁଲ ଏବଂ ଅନେକ ପ୍ରଦେଶରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ବନ୍ୟା ଯୋଗୁ ୬୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି । ବନ୍ୟା ପାଣିରେ ଭାସିଯାଇ ପାଖାପାଖି ୨୦୦ ଗୋରୁଙ୍କ ମୃତ୍ୟୁ ହୋଇଛି । ଏହିପରି ବନ୍ୟା ପରିସ୍ଥିତି ଯୋଗୁ ୮୦୦ ହେକ୍ଟର କୃଷି ଜମି ନଷ୍ଟ ହୋଇଯାଇଥିବା ବେଳେ ୮୫ କିଲୋମିଟରରୁ ଅଧିକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଯୋଗୁ ପଶ୍ଚିମ ଫରାହ, ହେରାତ, ଦକ୍ଷିଣ ଜାବୁଲ ଏବଂ କାନ୍ଦାର ପ୍ରଦେଶରେ ସର୍ବାଧିକ କ୍ଷତି ଘଟିଛି । ଆଫଗାନିସ୍ତାନରେ ବର୍ତ୍ତମାନ ବର୍ଷାରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ । ପାଣିପାଗ ବିଭାଗ ଦେଶର ୩୪ରୁ ଅଧିକ ପ୍ରଦେଶରେ ଆଗାମୀ ଦିନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ।
ଏହାପୂର୍ବରୁ ମଧ୍ୟ ଆଫଗାନିସ୍ତାନରେ ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଫେବୃୟାରୀରେ ପୂର୍ବ ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ ପରେ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ୨୫ ଲୋକଙ୍କ ମୃତ୍ୟୁ ଘଟିଥିଲା । ଯେତେବେଳେ କି, ମାର୍ଚ୍ଚରେ ହୋଇଥିବା ତିନି ସପ୍ତାହର ବର୍ଷାରେ ପ୍ରାୟ ୬୦ ଜଣ ପ୍ରାଣ ହରାଇଥିଲେ ।ମିଳିତ ଜାତିସଂଘ ଗତ ବର୍ଷ ଚେତାବନୀ ଦେଇଥିଲା ଯେ ଆଫଗାନିସ୍ତାନରେ ପାଣିପାଗରେ ବଡ଼ ପରିବର୍ତ୍ତନ ଘଟୁଛି । ବୈଜ୍ଞାନିକମାନେ କହିଛନ୍ତି ଯେ ବିଶ୍ୱ ତାପମାତ୍ରା ହେତୁ ପାଣିପାଗର ଅବସ୍ଥା ବିଗିଡି ଯାଉଛି । ସେପଟେ ଦେଶରେ ବନ୍ୟା ପରିସ୍ଥିତି ଯୋଗୁ ଲୋକମାନେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି ।