SunstarTV
ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ମିଳିଲା ଜିଆଇ ମାନ୍ୟତା । ଭାରତ ସରକାରଙ୍କ ଚେନ୍ନାଇ ସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାର ବହୁତ ମାତ୍ରାରେ ଖଜୁରି ଗଛ ଦେଖାଯାଏ। ସେଥି ମଧ୍ୟରୁ ସଉରା ଜାତିର ଜନଜାତିମାନେ ଖଜୁରୀ ଗୁଡ଼ ପ୍ରସ୍ତୁତ କରିଥାନ୍ତି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ (ଓଆର୍ଟିଏସ୍ଏସ୍) ଅଧିନରେ ହଜାର ହଜାର ଆଦିବାସୀ ଖଜୁରୀ ଗୁଡ଼ ଉତ୍ପାଦନରେ ନିୟୋଜିତ ହୋଇଛନ୍ତି।
ଚାରି କୋଣିଆ ଆକୃତିର ଛାଞ୍ଚରେ ପ୍ରସ୍ତୁତ କରାଗଲେ ତାକୁ ପାତାଳି ଗୁଡ଼ ଓ ସ୍ୱଳ୍ପ ପରିମାଣରେ ତରଳ ଭାବେ ପ୍ରସ୍ତୁତ କରାଗଲେ ତାକୁ ରୁବ୍ ଗୁଡ଼ କୁହାଯାଏ। ପାରମ୍ପରିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଥିବା ଏହି ଗୁଡରେ କୌଣସି ପ୍ରାକୃତିକ ବା କୃତ୍ରିମ ରଙ୍ଗ ମିଶାଯାଇ ନଥାଏ। ଖଜୁରୀର ରଙ୍ଗ ପରି ଏହାର ରଙ୍ଗ ମଧ୍ୟ ବାଦାମୀ ହୋଇଥାଏ। ଏଥିରେ ଚିନିର ମାତ୍ରା କମ୍ ରହୁଥିବାରୁ ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇପାରିବେ ବୋଲି କହିଛନ୍ତି। ୨୦୨୦ ମସିହା ଜୁନ୍ ୧୨ ତାରିଖରେ ଏହାକୁ ଜିଆଇ ମାନ୍ୟତା ଦେବାପାଇଁ ଆବେଦନ ହୋଇଥିଲା। ଯାହାକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି।
ସୂର୍ଯ୍ୟ ଉଦୟ ପୂର୍ବରୁ ଖଜୁରୀ ଗଛରୁ ରସ ସଂଗ୍ରହ କରାଯାଇଥାଏ। ଏହାକୁ ଚୁଲିରେ ରନ୍ଧାଯାଇ ଗୁଡ଼ ପ୍ରସ୍ତୁତ କରାଯାଇଥାଏ। ଏଥିରେ କୌଣସି ରାସାୟନିକ ସାମଗ୍ରୀ ମିଶ୍ରଣ କରାଯାଏ ନାହିଁ। ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଏହାକୁ ପ୍ରସ୍ତୁତ କରାଯାଉଛି। ଏଥିରେ ବିଭିନ୍ନ ପ୍ରକାରର ମିନେରାଲ୍ସ ଓ ଭିଟାମିନ୍ ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ରହିଛି। ତେଣୁ ଏହା ଶରୀରରେ ରକ୍ତ ସର୍କରା ସନ୍ତୁଳିତ ରଖିବାରେ ସହାୟକ ହୋଇଥାଏ।