SunstarTV
ଓଡ଼ିଆ ଖାଦ୍ୟ ସମ୍ଭାରରେ ମିଠା ଏକ ଅଭିନ୍ନ ଅଙ୍ଗ। ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରୁ ମିଠା ଅନ୍ୟତମ।
ମିଠା କାରିଗରଙ୍କୁ ଲାଭବାନ କରିଛି। ମିଠା ଦୋକାନ ସହ ଜଡ଼ିତ ଛେନା ବେପାରୀ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ଆଜି ହେଉଛି ସେହିଭଳି ଏକ ମିଠାର ଦିନ । ଏପ୍ରିଲ ୧୧ ଆମ ଛେନା ପୋଡ଼ ଦିବସ।
ଛେନାପୋଡ଼ ପ୍ରଥମେ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରୁ ପ୍ରସ୍ତୁତ ହୋଇଥିଲା । ୧୯୪୬ ମସିହାରେ ଏହାକୁ ପ୍ରଥମେ ସୁଦର୍ଶନ ସାହୁ ନାମକ ଏକ ମିଠା ବ୍ୟବସାୟୀ ପ୍ରସ୍ତୁତ କରିଥିଲେ । ଦଶପଲା ସତପାଟଣା ଗ୍ରାମରେ ତାଙ୍କର ଏକ ଛୋଟ ଜଳଖିଆ ଦୋକାନ ରହିଥିଲା । ଦୋକାନରେ ପ୍ରତିଦିନ ସେ, ଛେନାରୁ ମିଠା ପ୍ରସ୍ତୁତ କରୁଥିଲେ । ବଳକା ରହିଯାଉଥିବା ଛେନାକୁ ଉପଯୋଗ କରିବାର ଇଚ୍ଛାରେ ସେଥିରେ ଚିନି ଦେଇ ଏକ ମାଟି ଚୁଲି ଉପରେ ସାରା ରାତି ଛାଡ଼ି ଦେଇଥିଲେ । ଯାହାକି ପରଦିନ ସକାଳୁ ଏକ ସୁସ୍ୱାଦୁ ପୋଡ଼ ଆକାରରେ ପ୍ରସ୍ତୁତ ହୋଇଯାଇଥିଲା । ପ୍ରାଥମିକ ସ୍ତରରେ କଠିନ ପ୍ରସ୍ତୁତ ହେଉଥିବା ଏହି ପୋଡରେ ସମୟକ୍ରମେ କାଜୁ, ସୁଜି, କିସମିସ ଆଦି ମିଶାଇ ଏହାକୁ ନରମ କରିବାକୁ ଚେଷ୍ଟା କରିଥିଲେ । ଶେଷରେ ସେହି ପୋଡ଼ ସୁନ୍ଦର ଆକାରରେ ପ୍ରସ୍ତୁତ ହୋଇଥିଲା ଏବଂ ସୁଦର୍ଶନ ସାହୁ ତାର ନାମ ରଖିଥିଲେ ଛେନାପୋଡ଼ । ସେହି ଦିନଠାରୁ ସେ ହୋଇଗଲେ ଛେନାପୋଡ଼ର ସ୍ରଷ୍ଟା । ଧିରେ ଧିରେ ଏହାର ଚାହିଦା ବଢିବା ସହିତ ଲୋକମାନେ ଏହାକୁ ଖାଇବାକୁ ପସନ୍ଦ ମଧ୍ୟ କଲେ । ୧୯୯୨ ମସିହାରେ ପୁରୀ ଜିଲ୍ଲାରୁ ବିଭାଜିତ ହୋଇ ନୟାଗଡ଼ ଜିଲ୍ଲାର ମାନ୍ୟତା ପାଇବା ସମୟରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ, ଜିଲ୍ଲାର ଅନ୍ୟତମ ପରିଚୟ ଛେନାପୋଡ଼ ରଖିଥିଲେ ।ନୟାଗଡ଼ ଆଖାପାଖ ଅଞ୍ଚଳରୁ ପ୍ରତିଦିନ ଆନୁମାନିକ ପନ୍ଦରରୁ କୋଡ଼ିଏ କୁଇଣ୍ଟାଲ ଛେନାପୋଡ଼ ବିକ୍ରି ତଥା ରପ୍ତାନି ହୁଏ।
ଆସନ୍ତୁ ଜାଣିବା କିଭଳି ଛେନାପୋଡ଼ର ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଏକ ପାତ୍ରରେ ଗରମ ଘିଅ ବା ତେଲ ମାରି, ତା ଉପରେ କଦଳୀ ପତ୍ର କିମ୍ବା ଶାଳପତ୍ର ଦିଆଯାଇ ରଖାଯାଏ । ଅପରପାର୍ଶ୍ଵରେ ଆଉ ଏକ ପାତ୍ରରେ ଛେନାରେ ଚିନୀ, ସୁଜି, ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କାଜୁ ଓ ଖିସମିସ ଦିଆଯାଇ ତାକୁ ଭଲ ଭାବେ ଫେଣ୍ଟା ଯାଇଥାଏ । ମିଶ୍ରଣକୁ ପରେ ଘିଅ ପାତ୍ରରେ ଢାଳି ତା ଉପରେ ଆଉ ଏକ ଶାଳପତ୍ର ଦିଆଯାଇଥାଏ । ପାତ୍ର ଉପରେ ଏକ ଢାଙ୍କୁଣିକୁ ଭଲ ଭାବେ କଭର କରି ନିଆଁ ବା ଚୁଲି ଉପରେ ବସାଯାଏ । ପାଖାପାଖି ୨ ରୁ ୩ ଘଣ୍ଟା ସେହି ନିଆଁ ଉପରେ ବସିଲା ପରେ, ପ୍ରସ୍ତୁତ ହୋଇଥାଏ ଛେନାପୋଡ଼ ।