ଗାଁ ରାସ୍ତାରେ ଚାଲିଛି ଲମ୍ବା ଶୋଭାଯାତ୍ରା । ସମସ୍ତଙ୍କ ମୁହଁରେ ଭାରତ ମାତାର ଜୟଗାନ । ଏହି ଶୋଭାଯାତ୍ରାକୁ ଦେଖିଲେ ଆପଣ ବି ଭ୍ରମରେ ପଡିବେ । ହେଲେ ସହିଦ୍ ହୋଇଥିବା ଗ୍ରାମର ଯୁବକଙ୍କ ମରଶରୀରକୁ ସ୍ୱାଗତ କରି ନେଉଛନ୍ତି ଅଂଚଳବାସୀ । ଯାହାର ଚିତ୍ର ଦେଖିବା ପରେ ଆପଣ ବି ସ୍ତବ୍ଧ ହୋଇଯିବେ ।
କାନ୍ଦୁଛି ଗାଁ ମାଟି, କାନ୍ଦୁଛନ୍ତି ସମ୍ପର୍କୀୟ । ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସାହିପଡିଶା ସମସ୍ତଙ୍କ ଆଖିରେ ଲୁହ । କାହିଁକି ନା ସମସ୍ତଙ୍କର ଅତି ପ୍ରିୟ ମଣିଷ ଆଜି ଆରପାରିରେ । ଦେଶ ସେବା କରିବାକୁ ଯାଇଥିବା ପୁଅର ମୃତଦେହ ଆଜି ଫେରିଛି ଗ୍ରାମକୁ । ଆଉ ସେହି ମୃତଦେହକୁ ସ୍ୱାଗତ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଏବଂ ଶେଷ ଦର୍ଶନ ନିମନ୍ତେ ହଜାର ହଜାର ଲୋକଙ୍କର ଭିଡ । ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ଧୁମକେତ ଗ୍ରାମରେ । ଧୂମକେତ ଗ୍ରାମର ଭଗୀରଥ ମହାନ୍ତ, ଯିଏ କି ୧୨ ବାଟାଲିୟନ ତଥା ସିଏଚଏମରେ ଯୋଗ ଦେଇଥିଲେ । ଲଦାଖ, ବିନାଗୁଡି, ଆସାମ ଶ୍ରୀ ନଗର, ଓଟିଏଗାତରେ କାର୍ଯ୍ୟ କରିବା ପରେ ରାଜସ୍ଥାନର ଗଙ୍ଗାନଗରରେ ସେ ଚାକିରୀ କରୁଥିଲେ । ତେବେ ଗତ ୫ ତାରିଖ ସକାଳେ ସେ କାର୍ଯ୍ୟ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ଛତିଶଗଡ କମାଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକି ସେ ଡ୍ୟୁଟିରେ ଥିବା ସମୟରେ ସହିଦ୍ ହୋଇଥିଲେ । ଏହି ଖବର ଜଣାପଡିବା ପରେ ଗ୍ରାମରେ ଶୋକର ଛାୟା । ପୁଅର ମୃତ୍ୟୁ ଖବର ପାଇବା ପର ଠାରୁ ମା ଆଖିର ଲୁହ ଶୁଖୁନାହିଁ । ତେଣେ ସ୍ତ୍ରୀ ୫ ବର୍ଷର ପୁଅ ଏବଂ ଦେଢ ବର୍ଷର ଝିଅର ମୁହଁକୁ ଚାହିଁ ନିଜର କୋହକୁ ସମ୍ଭାଳି ରଖିପାରୁନାହିଁ । ଆଜି ତାଙ୍କର ମୃତଦେହ ଆସି କପ୍ତିପଦା ଠାରେ ପହଂଚିବା ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଇ ନେବା ସହିତ ସହିଦ୍ ଭଗୀରଥ ମହାନ୍ତ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ ।
ଏ ସବୁ ଭିତରେ ଘରେ ପହଂଚିବା ପରେ ମୃତଦେହ କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ପରିବେଶ । ସେପଟେ ନିୟମ ଅନୁସାରେ ସହିଦ୍ ଯବାନଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ଗାର୍ଡ ଅଫ୍ ଅନର ବାଟାଲିୟନ ପକ୍ଷରୁ ପ୍ରଦାନ କରାଯାଇଥିଲା । ନିଜ ମାଆ ମାଟି ପାଇଁ କାମ କରିବାକୁ ଯାଇଥିବା ପୂଅ ଆଜି ସହିଦ୍ ହୋଇଥିବାରୁ ଉଭୟ ସହିଦ୍ ଭଗୀରଥଙ୍କ ମାଆ ଏବଂ ଶାଶୁ ନିଜକୁ ବେଶ ଗର୍ବିତ ଅନୁଭବ କରୁଛନ୍ତି । କପ୍ତିପଦା ମାଟି ଆଜି ଭଗିରଥଙ୍କ ପାଇଁ ଗର୍ବିତ । ତାଙ୍କର ମର ଶରୀର ଗ୍ରାମରେ ପହଂଚିବା ଠାରୁ ଆରମ୍ଭ କରି ଶେଷକୃତ୍ୟ ପର୍ଯ୍ୟନ୍ତ ହଜାର ହଜାର ସ୍ଥାନୀୟ ଲୋକଙ୍କ ଉପସ୍ଥିତି ରହିଥିବା ଦେଖିବାକୁ ମିଳିଥିଲା ।