SunstarTV
ରାଜ୍ୟ ବିଜେପିକୁ ଆଉ ଏକ ଝଟକା । ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀ ତାଙ୍କ ସୋସିଆଲ ମିଡିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଲେଖାଶ୍ରୀ ବିଜେପିର ଉପସଭାପତି ପଦରେ ଥିଲେ। ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି। ଲେଖାଶ୍ରୀ ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ । ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି ।
ଲେଖାଶ୍ରୀ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ।
କୁହାଯାଉଛି, ଏଥର ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସେ କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ ମିଳି ନଥିଲା। ମାର୍ଚ୍ଚ ୩୦ ତାରିଖରେ ଦଳ କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଥିଲା। ଟିକେଟ୍ ନ ମିଳିବା ପରେ ଏକ ପ୍ରକାର ଉଭାନ ହୋଇଯାଇଥିଲେ ଲେଖାଶ୍ରୀ। ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ଦେଖିବାକୁ ମିଳୁ ନଥିଲା। ଆଉ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି।