SUNSTARTV
ଭୁବନେଶ୍ବର: ବାଜି ସାରିଛି ବିଗୁଲ ପ୍ରସ୍ତୁତ ହୋଇସାରିଛନ୍ତି ନେତା । ଭୋଟରଙ୍କୁ ହାତେଇବାକୁ ଆରମ୍ଭ କରିଲେଣି ରଣନୀତି । ଏଥର ନେତାଙ୍କ ନଜରରେ ସାଲିଆ ସାହି । ଗୋଟିଏ ବସ୍ତି ,୪ଟି ୱାର୍ଡ ୪୭ ହଜାର ଭୋଟ କାହାର ହେବ । ୨୦୧୯ ପରି ବିଜେଡି ମାରିବ ବାଜି ନା ବିଜେପି ଛଡେଇ ନେବ । କଂଗ୍ରେସକୁ ଯିବ କି କିଛି ଭୋଟ । ଚଳିତ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ଓଡ଼ିଶାର ସବୁଠାରୁ ବଡ଼ ବସ୍ତି ଭାବେ ପରିଚିତ ସାଲିଆସାହିକୁ ନେଇ ଏବେ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ସରଗରମ ।
ବିଜେଡି ବିଜେପି କଂଗ୍ରେସ ସମସ୍ତଙ୍କ ନିଜର ଏବେ ଏହି ବଡ ଭୋଟ ବ୍ୟାଙ୍କ ଉପରେ । ତିନି ଦଳର ସମର୍ଥକମାନେ କ୍ୟାମ୍ପ ଅଫିସ୍ ପ୍ରତିଷ୍ଠା କରି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ କରୁଛନ୍ତି ଉଦ୍ୟମ । କିନ୍ତୁ ଏଠାରେ ବଡ ପ୍ରସଙ୍ଗ ହୋଇଛି ୨୦୦ ଫୁଟିଆ ନୂଆ ରାସ୍ତା । ଜୟଦେବ ବିହାର -ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବା ଲାଗି ବାମ ପାର୍ଶ୍ବରେ ସମାନ୍ତରାଳ ରାସ୍ତା ନିର୍ମାଣ କରାଯାଉଛି। ଏହା ସାଲିଆସାହି ମଧ୍ୟ ଦେଇ ଏକାମ୍ରକାନନ ନିକଟରେ ବାହାରିବ। ୮ ବର୍ଷ ହେଲା ପ୍ରଶାସନ ଯେତେ ଚାପ ପକାଇଲେ ମଧ୍ୟ ଆଜି ପ୍ରର୍ଯ୍ୟନ୍ତ ବସ୍ତି ଭିତରେ ରାସ୍ତା ପଶି ପାରିନାହିଁ। ୯୦୦ ମିଟର ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ନେକେଦମ୍ ହେଲାଣି । ଗୋଟେ ପଟେ ପ୍ରଥମେ ଥଇଥାନ, ତା’ପରେ ରାସ୍ତା ନିର୍ମାଣ ଜିଦ୍ରେ କିଛି ବସ୍ତିବାସିନ୍ଦା ଅଟଳ ରହିଛନ୍ତି। କୌଣସି ବି ପରିସ୍ଥିତିରେ କାଣିଚାଏ ଜମି ଦିଆଯିବ ନାହିଁ ବୋଲି ଅଡ଼ି ବସିଛନ୍ତି। ଯାହାକି ଆଗାମୀ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି। ଶାସକ ଦଳ କି ପ୍ରତିଶ୍ରୁତି ଦେଇ ବସ୍ତିବାସିନ୍ଦାଙ୍କ ହୃଦୟ ଜିଣିବ ଏବଂ ବିରୋଧୀ କେଉଁ ରଣନୀତି ଆପଣାଇ ବସ୍ତିବାସିନ୍ଦାଙ୍କ ଭୋଟ ହାତେଇବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ବିଏମ୍ସିର ୧୬, ୨୦, ୨୧ ଓ ୨୬ ନମ୍ବର ୱାର୍ଡରେ ଆସୁଥିବା ଏହି ବସ୍ତିବାସିନ୍ଦା ୨୦୨୨ ମହାନଗର ନିଗମ ନିର୍ବାଚନରେ ବିଜେଡି ସହ ରହିଥିଲେ। ବିଜେଡି ପ୍ରାର୍ଥୀମାନେ ୪ଟି ଯାକ ୱାର୍ଡରୁ ୮ହଜାର ୧୧୩ ଖଣ୍ଡ ଭୋଟ ହାତେଇବା ସହ ବିଜୟୀ ହୋଇଥିଲେ। ଅପର ପକ୍ଷେ ବିଜେପି ଭୋଟ ବ୍ୟାଙ୍କକୁ ଆସିଥିଲା ମାତ୍ର ୪ହଜାର ୪୪୩ ଖଣ୍ଡ ଭୋଟ । ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଅନୁରୂପ ଭାବେ ବସ୍ତିବାସିନ୍ଦା ବିଜେଡି ସପକ୍ଷରେ ଭୋଟ ଦେଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ ହୋଇପାରେ କଡ଼ା ଟକ୍କର ।
ବିଜେଡି ସମର୍ଥକଙ୍କ କହିବାନୁଯାୟୀ ବିଜେଡି ସମୟରେ ହିଁ ବସ୍ତିବାସିନ୍ଦାଙ୍କ ହୋଇଛି ବିକାଶ । ଡ୍ରେନେଜ୍ ବ୍ୟବସ୍ଥା ସହ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାରେ ଆସିଛି ଉନ୍ନତି । ବସ୍ତିକୁ ସମ୍ପୂର୍ଣ୍ଣ ଆଲୋକୀକରଣ ସହ ଗଳିକନ୍ଦିରେ ରାସ୍ତା ନିର୍ମାଣ, ୨୪ ଘଣ୍ଟିଆ ପାନୀୟ ଜଳ ସୁବିଧା, ପ୍ରତି ୱାର୍ଡରେ ୪ରୁ ୫ଟି ପରିଚୟ ଗୃହ ପ୍ରତିଷ୍ଠା ଆଦି ଅନେକ ଲୋକାଭିମୁଖୀ କାର୍ଯ୍ୟ କରାଯାଇଛି । ସାଲିଆ ସାହିର କିଛି ବସ୍ତିବାସିନ୍ଦାଙ୍କୁ କୋଠାଘରେ ଥଇଥାନ କରାଯାଇଛି। ୨୦୦ ଫୁଟିଆ ରାସ୍ତା ନିର୍ମାଣ ପୂର୍ବରୁ ଉଚ୍ଛେଦ ହେବାକୁ ଥିବା ପ୍ରାୟ ୬୦୦ ପରିବାରକୁ ଘର ଯୋଗାଇ ଦିଆଯିବ। ତେଣୁ ଏଥର ଭୋଟ ବିଜେଡିକୁ ଯିବ।
ଇତିମଧ୍ୟରେ ରାଜନୈତିକ ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଏହି ବସ୍ତିରେ ଦବ୍ଦବା ଥିବା କମ୍ୟୁନିଷ୍ଟ ନେତା ଓ କର୍ମୀଙ୍କୁ ବିଜେପି ହାତେଇଛି। ବିଜେପି ସମର୍ଥକଙ୍କ ଅଭିଯୋଗ ହେଉଛି ଯେ ୨୦୧୯ରେ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରି ନାହିଁ। ତେଣୁ ଏଥର ବସ୍ତିବାସିନ୍ଦାଙ୍କ ଭୋଟ ବିଜେପିକୁ ଯିବ।
ଅନ୍ୟ ପକ୍ଷେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିଲେ ମଧ୍ୟ ଟିକେଟ୍ ଆଶାୟୀ କୃଷ୍ଣଚନ୍ଦ୍ର ପତି ଏକ କ୍ୟାମ୍ପ ଅଫିସ୍ ଖୋଲି କର୍ମୀଙ୍କୁ ସଙ୍ଗଠିତ କରୁଥିବା ଦେଖିବାକୁ ମିଳିଛି। ଆଦିବାସୀ ଓ ପଛୁଆ ବର୍ଗଙ୍କ ଭୋଟ ହାତେଇବାକୁ ଦଳ ଲକ୍ଷ୍ୟ ରଖିଛି। କର୍ମୀଙ୍କ କହିବା କଥା ହେଉଛି ଯେ ଉଭୟ ବିଜେଡି ଓ ବିଜେପି ସାଲିଆସାହି ବସ୍ତିବାସିନ୍ଦାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ବର୍ଷ ବର୍ଷ ଧରି ସେମାନଙ୍କୁ ନିଜର ହକ୍ ଦେଇ ନାହାନ୍ତି। ତେଣୁ ବସ୍ତିବାସିନ୍ଦାଙ୍କ ମୁଡ୍ ପରିବର୍ତ୍ତନ ହୋଇଛି। ତେଣୁ ଚଳିତ ବର୍ଷ ପୁଣି କଂଗ୍ରେସ ଆସୁଛି।
ତେବେ ନିର୍ବାଚନ ଆସିଲେ ନେତାମାନଙ୍କର ମନେ ପଡେ ଭୋଟର ମାନଙ୍କ କଥା । ଚିରାଚରିତ କାହାଣୀକୁ ଦୋହରାଇବା ସହ ଜଣିବେ ଭୋଟରଙ୍କ ହୃଦୟ । ଆଉ ମାତ୍ର କେତେଟା ଦିନ ପରେ ଆରମ୍ଭ ହୋଇଯିବ ଏହି ରାଜନୀତୀର ମହା ସମର । ଘନ ଘନ ପ୍ରଚାର ସାଙ୍ଗକୁ ଉଡିବ ଦଳୀୟ ପୋଷ୍ଟର । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ଆପଣାଇବେ ଅନେକ ରଣ ନୀତି । ଏଥର ହେବ ଘମାଘୋଟ ଲଢେଇ । କାହାର ପଲ୍ଲା ହେବ ଭାରି କିଏ ଯିବ ହାରି ତାକୁ ନେଇ ଚାଲିଛି ଚର୍ଚ୍ଚା । ତେବେ ଆଗାମୀ ନିର୍ବାଚନ ହିଁ ଏହାର ଉତ୍ତର ଦେବ ସାଲିଆ ସାହି କାହା ସପକ୍ଷରେ ଯିବ ।