SUNSTARTV
ବସ୍ତା:ନିର୍ବାଚନ ପୂର୍ବରୁ ପୁଣି ଜଣେ ଟାଣୁଆ ନେତା ପଦ୍ମକୁ ପର କରିଛନ୍ତି । ଫଳରେ ଓଡିଶା ବିଜେପିକୁ ଲାଗିଛି ଶକ୍ତ ଝଟକା । ଦଳ ଛାଡିଲେ ବରିଷ୍ଠ ବିଜେପି ନେତା ରଘୁନାଥ ମହାନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରଘୁ ମହାନ୍ତି ନିଜର ଇସ୍ତଫାପତ୍ର ଦଳର ସଭାପତି ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି ।
ଶାସକ ଦଳରେ ଥିବା ବେଳେ ବସ୍ତା ଆସନରୁ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଥିଲେ ରଘୁନାଥ ମହାନ୍ତି । ସେ ସରକାରୀ ଦଳର ମୁଖ୍ୟ ସଚେତକ ଥିବା ସହ ମନ୍ତ୍ରୀ ମଧ୍ୟ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଆଉ ବସ୍ତା ନିର୍ବାଚନମଣ୍ଡଳୀରୁ ଲଢି ପରାଜିତ ହୋଇଥିଲେ । ତେବେ ପୁଣି ୨୦୨୪ ନିର୍ବାଚନ ପୂର୍ବରୁ ପଦ୍ମକୁ ପର କରିଛନ୍ତି ରଘୁନାଥ ମହାନ୍ତି । ବିଜେପିରୁ ଇସ୍ତଫା ଦେବା ପରେ ସେ କହିଛନ୍ତି, ଯେ ବିଜେପିର ବିଚାରଧାରା ସହ ତାଙ୍କ ବିଚାରଧାରା ମିଶିଲାନି । ଏଥିସହିତ ସେ ଜଣେ ଶୃଙ୍ଖଳିତ କର୍ମୀ ଥିଲେ । ତେବେ ବିଜେପିରେ ତାଙ୍କୁ ଅଣଦେଖା କରାଗଲା । ଫଳରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ରଘୁ ମହାନ୍ତି ବର୍ତ୍ତମାନ କେଉଁ ଦଳକୁ ଯିବେ ସେ ନେଇ ସ୍ପଷ୍ଟ ହୋଇ ନଥିବା ବେଳେ ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତି ନେବେ ବୋଲି ସେ ପ୍ରକାଶ କରିଛନ୍ତି ।