SUNSTARTV
ଯାଜପୁର: ପବିତ୍ର ବାରୁଣୀ ଅବସରରେ ଯାଜପୁର ସହରର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟ ପିଣ୍ଡଦାନ ଧ୍ୱନିରେ ପ୍ରକମ୍ୱିତ ହୋଇ ଉଠିଥିଲା । ସକାଳୁ ବୁଡର ଶୁଭ ସମୟ ଥିବା ବେଳେ ବଡି ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ ଆରମ୍ଭ ହୋଇଯାଇଥିଲା। ଦିନ ବଢ଼ିବା ସହ ଧୀରେଧୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା। ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ବୈତରଣୀରେ ଏହି ଘାଟରେ ବୁଡ ପକାଇ ପିଣ୍ଡଦାନ କରିବା ସହ ଭିକ୍ଷୁକମାନଙ୍କୁ ଦାନ କରିଥିଲେ,ବିହାର,ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ ସମେତ ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡା,କଟକ,କେନ୍ଦୁଝର ଓ ତେଙ୍କାନାଳରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଲକ୍ଷାଧିକ ଲୋକଙ୍କ ସମାଗମ ଭିତରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଏହି ବୁଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଦୂର ଦୂରାନ୍ତରୁ ଲୋକମାନେ ନିଜର ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ବାରୁଣୀ ଅବସରରେ ଧାଇଁ ଆସିଥିଲେ। ଶ୍ରଦ୍ଧାଳୁମାନେ ନଦୀରେ ବୁଡ କରି ପିତୃପୁରଷଙ୍କୁ ପିଣ୍ଡଦାନ କରିବା ସହିତ ନଦୀର ଉଭୟ ପାର୍ଶ୍ୱରେ ଥିବା ବରାହ ଓ ଜଗନ୍ନାଥ ପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ ।
ଲୋକମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।ଯାଜପୁର ପୌରପାଳିକା ପକ୍ଷରୁ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା। ଦଶାଶ୍ବମେଧ ଘାଟର ଉଭୟ ପଟେ ବ୍ୟାରିକେଟ କରାଯାଇଥିବା ବେଳେ ପାଣିରେ ଦମକଳବାହିନୀ ନିୟୋଜିତ ରହିଥିଲେ। ପୌରପାଳିକା ପକ୍ଷରୁ ପ୍ରଚଣ୍ଡ ରୌଦ୍ୟତାପକୁ ଲକ୍ଷ୍ୟ କରାଯାଇ ବିଭିନ୍ନ ଛକରେ ଦହିପାଣିର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ମେଳା ଆୟୋଜନ କରାଯାଇନାହିଁ। ପିଣ୍ଡଦାନ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ପଣ୍ଡିତ ବ୍ରାହ୍ମଣ ମଣ୍ଡଳୀମାନେ ନିଷ୍ପତ୍ତି ନେଇଥିଲେ। କାର୍ଯ୍ୟକ୍ରମକୁ ପୌରପାଳିକାର କର୍ମଚାରୀମାନେ ସହଯୋଗ କରୁଥିବା ବେଳେ ପୌରାଧ୍ୟକ୍ଷ ରଂଜୁଲତା ହୋତା,ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ସମସ୍ତ କାଉନସିଲରମାନେ ସହଯୋଗ କରିଥିଲେ।
ବୈତରଣୀ ରେ ବାରୁଣୀ ସମୟରେ ସ୍ବର୍ଗରୁ ସ୍ୱୟଂ ଦେବାତା ମାନେ ଆସିଥାନ୍ତି ବୋଲି ପଣ୍ଡିତ ମାନେ କହୁଥିବା ବେଳେ,ପିଣ୍ଡାଦାତା ଏହି ବାରୁଣୀ ସମୟରେ ଏଠାରେ ପିଣ୍ଡ ପକେଇବାର ଅପୂର୍ବ ସୁଯୋଗକୁ ହାତଛାଡା କରନ୍ତିନି।