SUNSTARTV
ଭୁବନେଶ୍ୱର:ନିର୍ବାଚନର ସମୟ ପାଖେଇ ଆସୁଥିବାବେଳେ ଏଯାଏଁ ସରୁନି ପ୍ରାର୍ଥୀ ତାଲିକା ଘୋଷଣା । ବିରୋଧୀଙ୍କୁ ବୋଧହୁଏ ଘାରିଛି ହାରିବାର ଭୟ । ଫଳରେ ଶାସକ ପ୍ରାର୍ଥୀ ତାଲିକା ଉପରେ ରହିଛି ସେମାନଙ୍କ ନଜର । ଏହିପରି କଥା ଏବେ ରାଜନୀତି ମହଲରେ ଘୁରି ବୁଲୁଛି । ଅନ୍ୟପଟେ ଏହି ଚର୍ଚ୍ଚାକୁ ଆହୁରି ଅଧୀକ ସକ୍ରୀୟ କରୁଛି ବିରୋଧୀଙ୍କ ଦଳ ଡିଆଁ ପ୍ରକ୍ରୀୟା । ଅଭିନୟ କରୁଥିବା ରାଜନେତା ଶାସକ ଦଳ ଛାଡିଥିବା ବେଳେ ରାଜନୀତିର ରଥୀ ମହାରଥୀ କୁହାଯାଉଥିବା ନେତାମାନେ ଶଙ୍ଖ ସମୁଦ୍ରରେ ମାରିଛନ୍ତି ବୁଡ ।
ତେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୧୩ ଲୋକ ସଭା ଏବଂ ୭୨ ବିଧାନ ସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ମାତ୍ର ୮ ଲୋକସଭା ଆସନ ଏବଂ ୪୭ ଟି ବିଧାନ ସଭା ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀ ତାଲିକା । ଏପଟେ ଗୋଟିଏ ପରେ ଗୋଟିଏ ହେବି ୱେଟ ନେତା ଦଳ ଛାଡି ଶାସକ ଦଳରେ ସାମିଲ ହେଉଛନ୍ତି । ପୂର୍ବରୁ କଂଗ୍ରେସର ମହାରଥୀ କୁହାଯାଉଥିବା ଚିରଞ୍ଜୀବ ବିଶ୍ୱାଳ ଏବଂ ସୁରେନ୍ଦ୍ର ସିଂ ଭୋଇ ଦଳ ଛାଡି ବିଜେଡିରେ ସାମିଲ ହୋଇଥିବା ବେଳେ ଆଜି ହାତକୁ ପର କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । ବର୍ତ୍ତମାନ ସେ କେଉଁ ଦଳକୁ ଯିବେ ସେ ନେଇ ସ୍ପଷ୍ଟ ହୋଇ ନଥିବା ବେଳେ ଅନ୍ୟ ନେତାଙ୍କ ପରି ଶଙ୍ଖ ଧରିବେ ନାଁ ପଦ୍ମ ପୋଖରୀରେ ଲମ୍ଫ ମାରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ସେପଟେ ବିଜେପି ସମସ୍ତ ଲୋକସଭା ଏବଂ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେଥିମଧ୍ୟରୁ ନୂଆ ନୂଆ ପଦ୍ମ ଧରିଥିବା ଦୁଇ ଅଭିନେତା ତଥା ରାଜନେତା ଆକାଶ ଦାସ ନାୟକ ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କୁ ମିଳିଛି ଟିକେଟ୍ । କିନ୍ତୁ ଏବେବି ଆହୁରି ବିଧାନସଭାରେ ୩୫ ସିଟ୍ ଖାଲି ପଡିଛି । ଏଥିରେ ସେ କାହାକୁ ପ୍ରାର୍ଥୀ କରିବ ଆଉ କିଏ ବିଜେଡିକୁ ସାମ୍ନା କରିବ ସେ ନେଇ ଚିନ୍ତାରେ ଅଛି ବିଜେପି । କାରଣ ଦୀର୍ଘ ୨୫ ବର୍ଷ ହେବ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ଲୋକ ପ୍ରିୟତା ଆଗରେ ଫିକା ପଡିଛି ବିରୋଧୀଙ୍କ ସବୁ କୁଟନୀତି । ଫଳରେ ପ୍ରତି ଥର ବିରୋଧୀଙ୍କୁ ମାତ୍ ଦେଇ ଲୋକଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ବିଜେଡି ସୁପ୍ରିମୋ । ଯାହାର ଫଳ ସ୍ୱରୁପ ଦୀର୍ଘ ୨୫ ବର୍ଷ ହେବ ଓଡିଶାର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ଭବରେ ଶାସନ ଭାର ସମ୍ଭାଳି ଆସିଛନ୍ତି । ଲୋକଙ୍କ ସୁଖରେ ଦୁଃଖରେ ସାଥୀ ହୋଇ ଛିଡାହେବା ସହ ଲୋକଙ୍କ ସେବା କରି ଆସୁଛି ବିଜୁ ଜନତା ଦଳ । ଫଳରେ ୨୪ ନିର୍ବାଚନରେ ଶୁଭ ଶଙ୍ଖ ଧ୍ୱନୀରେ ପୁଣି ପ୍ରକମ୍ପିତ ହେବ ସାରା ଓଡିଶା ବୋଲି ବିଭିନ୍ନ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ।
ଆଉ ମାତ୍ର କିଛି ଦିନର ଅପେକ୍ଷା । ଏହାପରେ ଆରମ୍ଭ ହୋଇଯିବ ରାଜନୀତିର ମହାଯୁଦ୍ଧ । ରଣଭୂମିକୁ ଓହ୍ଲାଇବେ ଅନେକ ରଥୀ ମହାରଥୀ । କିଏ କରିବ ଜୟଜୟକାର ତ କିଏ କହିବ ଜୟ ହୋ । ଆସିବେ ନେତା ହେବ ଜୋରଦାର ପ୍ରଚାର । ବିରୋଧୀ କହିବେ ଶାସକ କଥା ଆଉ ଶାସକ ଦେଖାଇବେ ଆଗମୀ ୫ ବର୍ଷର ନୂଆ ଓଡିଶା । କିନ୍ତୁ ଏହିସବୁ ଭିତରେ ଏବେ ଛକାପଞ୍ଜାରେ ଅଛନ୍ତି ଶାସକ ବିରୋଧୀ । କାହାକୁ ଦେବେ ଦାୟିତ୍ୱ ଆଉ କିଏ ହେବ ପର ତାକୁ ଚାଲିଛି ବିଚାର ବିମର୍ଶ । ଏପଟେ ୩ ଦଳର ପ୍ରାର୍ଥୀ ତାଲିକା ଉପରେ ରହିଛି ସମସ୍ତଙ୍କ ନଜର ।