Sunstar TV
ଭୁବନେଶ୍ୱର : କାଲି ଠାରୁ ରାଜ୍ୟକୁ ପୁଣି ଫେରିବ ତାତି । ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର୍ କରିବାର ସମ୍ଭାବନା ରହିଛି । କିଛି ଦିନ ପୂର୍ବରୁ ବଢିଥିବା ତାପମାତ୍ରା ନିମ୍ନ ଚାପ ରେଖା ଓ କାଳବୈଶାଖୀ ପାଇଁ ସାମାନ୍ୟ ହ୍ରାସ ପାଇଥିବା ବେଳେ ବର୍ତ୍ତମାନ ପୁଣି ପ୍ରବଳ ଗରମ ଅନୁଭୂତ ହେବ । ଏହି ସମ୍ବନ୍ଧରେ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ମଧ୍ୟ ଖରା ପ୍ରଭାବରେ ବାହାରେ ରହିବା କଷ୍ଟକର ମାନେ ହେଉଛି । ତେବେ ୨ ତାରିଖ ପରେ ଦିନ ସହ ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ । କେବଳ ଗରମ ନୁହେଁ ଏହା ସହ ପ୍ରବଳ ଗୁଳୁଗୁଳିରେ ହନ୍ତସନ୍ତ ହେବେ ରାଜ୍ୟବାସୀ। ଏଭଳି ତାପମାତ୍ରା ବୃଦ୍ଧି ହେବ ଫଳରେ ସନଷ୍ଟ୍ରୋକ୍ ଓ ଡାଇରିଆ ବ୍ୟାପିବାର ଆଶଙ୍କା ଥିବାରୁ ଟ୍ୱିଟ୍ କରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି । ଏହାର ମୁକାବିଲା କରିବାକୁ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଡାକ୍ତରଖାନା ପ୍ରସ୍ତୁତ ରଖିବା ସହ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରହିବା ପାଇଁ ଟ୍ୱିଟ୍ କରି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ।