SUNSTARTV
ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଏପ୍ରିଲ ପହିଲାରୁ ହିଁ କଲବଳ କରିଲାଣି ଗ୍ରୀଷ୍ମ ପ୍ରଭାବ । କିନ୍ତୁ ଓଡ଼ିଶାର ପଡୋଶୀ ରାଜ୍ୟରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ପଶ୍ଚିମ ବଙ୍ଗରେ ପ୍ରବଳ ବର୍ଷାସହ ଭୟଙ୍କର ଘୂର୍ଣ୍ଣିଝଡ ହୋଇଛି । ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି |
ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାରେ ହୋଇଛି ଆକସ୍ମିକ ଝଡ଼ । ପ୍ରବଳ ବେଗରେ ମାଡ଼ି ଆସିଲା ପବନ ଫଳରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଆକସ୍ମିକ ଝଡ଼ ଦ୍ୱାରା ଶତାଧିକ ଘର ଏବଂ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହେବା ସହ ଅନେକ ଗଛ ଓ ବିଜୁଳି ଖୁଣ୍ଟ ଭାଙ୍ଗି ଯାଇଛି । ଏହି ଝଡ ଦ୍ୱାରା ନିକଟସ୍ଥ ମୈନାଗୁଡ଼ି ବି ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ସେହିପରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୪୨ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ଅନ୍ୟପକ୍ଷେ ଆଜି ପଶ୍ଚିମବଙ୍ଗର ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ପ୍ରଭାବିତ ଅଂଚଳ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଛନ୍ତି । ଏଥିସହିତ ଶ୍ରୀ ବୋଷ କହିଛନ୍ତି ମୁଁ ନିଜେ ପରିସ୍ଥିତିକୁ ଅନୁଧ୍ୟାନ କରିବା ଏବଂ ପ୍ରଭାବିତ ଲୋକଙ୍କୁ ଭେଟିବା ପାଇଁ ଆସିଥିଲି । ଏହିସବୁ ଅଂଚଳ ପରିଦର୍ଶନ କରିବା ପରେ “ମୁଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ରିଲିଫ କାର୍ଯ୍ୟରେ ଜଡିତ ଅନ୍ୟାନ୍ୟ ଏଜେନ୍ସି ସହିତ ଯୋଗାଯୋଗ କରିଛି । ଏହାବ୍ୟତୀତ ଏହି ପ୍ରସଙ୍ଗରେ ମୁଁ ଦିଲ୍ଲୀ ସହ ମଧ୍ୟ ଯୋଗାଯୋଗରେ ଅଛି । ତେବେ ଦେଶ ଏବଂ ରାଜ୍ୟ ପ୍ରଭାବିତ ଲୋକଙ୍କ ସହିତ ରହିଛି ” ବୋଲି ପଶ୍ଚିମବଙ୍ଗର ରାଜ୍ୟପାଳ ସି.ଭି ଆନନ୍ଦ ବୋଷ କହିଛନ୍ତି।