SunstarTV
ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଦଳ ଡିଆଁ ନେତାଙ୍କ ସଂଖ୍ୟା ସେତିକି ବଢ଼ିବାରେ ଲାଗିଛି। ଶନିବାର ସକାଳୁ ସକାଳୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି ଆଜି ବିଜେପିରେ ଯୋଗ ଦେଇଛନ୍ତି। ନିଜ ଇସ୍ତଫା ପତ୍ରକୁ ଅନୁଭବ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ ଆଜି ଦିଲ୍ଲୀରେ ଯାଇଁ ମିଶିଛନ୍ତି।
ସିନେ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଥରେ ରାଜ୍ୟସଭା ସାଂସଦ ଏବଂ ଥରେ ଲୋକସଭାକୁ ନିର୍ବାଚିତ ହେଇଥିଲେ। ବିଜେଡି ସାଂସଦ ଥିଲେ ମଧ୍ୟ ସେ ଦଳରେ ବିଶେଷ ସକ୍ରିୟ ନଥିଲେ।
୨୦୧୯ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପରାଜିତ କରିଥିଲେ ଅନୁଭବ ମହାନ୍ତି। ଚଳିତ ଥର କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ନିକଟରେ ଅଂଶୁମାନ କଂଗ୍ରେସ ଛାଡ଼ି ବେଜେଡିରେ ଯୋଗ ଦେଇଥିଲେ। ହୁଏତ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଆଶାୟୀ ଥିବା ଅନୁଭବ ମହାନ୍ତିଙ୍କୁ ଟିକେଟ ନମିଳିବାରୁ ସେ ବିଜେଡି ଛାଡ଼ିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ତେବେ ଗତକାଲି ଆକାଶ ଦାସନାୟକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଥିଲେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ କରାଯାଇଛି। ତାଙ୍କ ସହ ବହୁ କର୍ମୀ ମଧ୍ୟ ବିଜେପିରେ ସାମିଲ୍ ହୋଇଥିଲେ। ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।