SUNSTARTV
ଭୁବନେଶ୍ୱର:ନିର୍ବାଚନର ଘଡିସନ୍ଧି ମୁହୂର୍ତ୍ତରେ ଗୋଟଏ ଗୋଟିଏ ଦିନରେ ବଦଳିଯାଉଛି ରାଜୀତିର ପଶାପାଲି । ସତ୍ତାର ସତରଞ୍ଜରେ କେତେବେଳେ କଣ ଗୋଟି ଚାଲୁଛି ତାହା ବୁଝିବା ଏବେ ଜନତାଙ୍କ ପାଇଁ କଷ୍ଟ । ନିର୍ବାଚନ ସମୟରେ ନେତାଙ୍କ ଦଳ ବଦଳ ବଦଳାଇ ଦେଉଛି ରାଜ୍ୟ ରାଜନୀତିର ସମୀକରଣ । ଫଳରେ ରାଜନୀତିର ମୈଦାନରେ କେଉଁ ରାଜନେତାଙ୍କ ରଥ କେଉଁ ଦଳକୁ ଗଡୁଛି ତାହା କଳନା କରିବା ବର୍ତ୍ତମାନ ହେଉନି ସମ୍ଭବ । ପୂର୍ବରୁ ଅନେକ ନେତା ଦଳ ପରିବର୍ତ୍ତନ କରିଥିବା ବେଳେ ଏବେ ପୁଣି ଶଙ୍ଖରେ ସାମିଲ ହେଲେ ଆଉ ୨ ମହାରଥୀ ।
ଜଣେ ପଦ୍ମ ପୋଖରୀକୁ ପର କରି ଶଙ୍ଖ ସମୁଦ୍ରରେ ବୁଡ ମାରିଥିବା ବେଳେ ଆଉ ଜଣେ ହାତକୁ ଭାଙ୍ଗି ଫୁଙ୍କିଛନ୍ତି ଶୁଭ ଶଙ୍ଖ । ତେବେ ନୀଳଗିରିର ବିଧାୟକ ସୁକାନ୍ତ ନାୟକ ଏବଂ ଜଗତସିହଂପୁରର ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ “କର-କମଳ”କୁ ପର କରି ବିଧିବଦ୍ଧ ଭାବରେ ଶଙ୍ଖକୁ ନିଜର କରିଛନ୍ତି ।
ତେବେ ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ଶୁକ୍ରବାର ଦିନ ବିଜେପିରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବିଜେଡିରେ ସାମିଲ ହେବା ନେଇ ଆକଳନ କରାଯାଉଥିଲା । ଯାହା ଆଜି ବାସ୍ତବ ରୂପ ନେଇଛି । ତେବେ ପୂର୍ବରୁ ୨୦୧୪ ମସିହାରେ ସୁକାନ୍ତ ନାୟକ ବିଜେଡିରୁ ଟିକେଟ ପାଇ ବିଜୟୀ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବେଳଏ ୨୪ ନିର୍ବାଚନ ପୂର୍ବରୁ ସେ ପୁଣି ଘରବାହୁଡା କରିଛନ୍ତି । ଫଳରେ ବିଜେଡି ତାଙ୍କୁ ପୁଣି ଥରେ ନୀଳଗିରିର ଦାୟିତ୍ୱ ଦେଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଲାଣି ।
ସେହିପରି ଜଗତସିହଂପୁରର କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ । । ଫଳରେ ସେ ଶଙ୍ଖ ଧରିବେ ବୋଲି କୁହାଯାଉଥିଲା । ଯାହାକୁ ସତ ପ୍ରମାଣ କରିଛନ୍ତି ଚିରଞ୍ଜୀବ । ସେ ଆଜି ଏକ ବିରାଟ ପଟୁଆର ସହ ଆସି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ତେବେ ଚିରଞ୍ଜୀବ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ଏଥିସହିତ ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଜଗତସିହଂପୁର ବିଧାୟକ ମଧ୍ୟ ଥିଲେ । କିନ୍ତୁ ଏବେ ସେ ଶାସକ ଦଳରେ ସାମିଲ ହେବା ପରେ ରାଜନୀତିର ସମିକରଣ ଅଲଗା ଦିଗକୁ ଗତି କରୁଥିବା ଜଣାପଡୁଛି । ତେବେ ରାଜନୀତି ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଦାମୋଦର ରାଉତ ଓ ବି ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଜଗତସିଂହପୁରରେ ବରିଷ୍ଠ ନେତାଙ୍କ ଅନ୍ୱେଷଣରେ ଥିଲା ବିଜେଡି । ଫଳରେ ଚିରଞ୍ଜିବୀଙ୍କୁ ଦଳରେ ସାମିଲ କରି ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚାହୁଁଥାଇପାରନ୍ତି ବିଜେଡି ସୁପ୍ରିମୋ ।
ତେବେ ଚିରଞ୍ଜିବୀ ଦଳରେ ସାମିଲ ହୋଇଥିଲେ ମଧ୍ୟ କେଉଁଠୁ ପ୍ରାର୍ଥୀ ହେବେ କିମ୍ବା ଦଳ ତାଙ୍କୁ ଅନ୍ୟ କେଉଁ ଦାୟୀତ୍ୱ ଦେବ ତାହା ଏବେବି ସସ୍ପେନସ୍ ରେ ରହିଛି । ନେତାମାନଙ୍କ ଏପରି ଦଳ ପରିବର୍ତ୍ତନ ୨୪ ନିର୍ବାଚନର ଚିତ୍ରକୁ କେଉଁ ରଙ୍ଗ ଦେବ ତାକୁ ନେଇ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ତେବେ ଜୁନ୍ ୪ ହିଁ କହିବ କେଉଁ ରୂପ ନେବ ୨୪ ନିର୍ବାଚନ ।