SunstarTV
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। ବୈଠକରେ ଅକ୍ଷୟ ତୃତୀୟାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି, ରଥକାଠ, ତୀର୍ଥ ପୁଷ୍କରିଣୀ ସଫେଇ, ରଥ ନିର୍ମାଣ, ସ୍ବାସ୍ଥ୍ୟ ଓ ପରିମଳ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ପରିବହନ ଓ ରେଳସେବା, ଡ୍ରେନେଜ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେଉଛି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ଓ ଟାର୍ଗେଟ ସମୟ ମଧ୍ୟରେ କାର୍ଯ୍ୟ କିଭଳି ଠିକ୍ ଭାବେ ସମ୍ପାଦନ କରିବେ, ସେ ସମ୍ପର୍କରେ ଆଲୋଚନା କରାଯାଉଛି।
ସୂଚନାମୁତାବକ ଆସନ୍ତା ମେ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଏବଂ ଜୁନ୍ ୨୨ ରେ ଦେବସ୍ନାନ ପୂର୍ଣ୍ଣିମା। ସେହିପରି ଜୁଲାଇ ୭ ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଜୁଲାଇ ୧୫ ରେ ବାହୁଡା ଏବଂ ୧୭ ତାରିଖରେ ପବିତ୍ର ସୁନାବେଶ ଅନୁଷ୍ଠିତ ହେବ। ତେବେ ୨୦୨୪ ରଥଯାତ୍ରାକୁ ନେଇ ପ୍ରସ୍ତୁତ ହୋଇଥିବା ଦିନ, ନୀତିକୁ ନେଇ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସବୁ ବିଭାଗ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି।
ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଡ ପୋଷ୍ଟ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଓ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଆବଶ୍ୟକୀୟ ମରାମତି, ଡ୍ରେନ୍ ସଫେଇ ନେଇ ପୌର ପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହାକୁ ନଜରରେ ରଖି ସମସ୍ତ ନିୟମକୁ ଅନୁପାଳନ କରି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।