Sunstar TV
ଭୁବନେଶ୍ୱର : ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ବଡ ଘୋଷଣା । ସିଦ୍ଧାର୍ଥ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ । ନିମାପଡା ବଦଳରେ ଜଟଣୀରୁ ସେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ପଟେ ସାନ ଭାଇ ମନ୍ମଥ ରାଉତରାୟ ଜଟଣୀରୁ ଲଢ଼ିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ବିଜେଡିରେ ସାମିଲ ହେବା ପରେ, ମନ୍ମଥଙ୍କୁ ଭୁବନେଶ୍ୱର ଲୋକସଭା ଟିକେଟ୍ ମିଳିଛି । ଏହି ଘଟଣା ପରିଲକ୍ଷିତ କରି ସିଦ୍ଧାର୍ଥ ଜଟଣୀ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଶନିବାର ଘୋଷଣା କରିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସିଦ୍ଧାର୍ଥ କହିଛନ୍ତି, କଂଗ୍ରେସ ଟିକେଟରୁ ଯଦି ସେ ନିର୍ବାଚନ ଲଢ଼ିବେ ତାହେଲେ ଲୋକଙ୍କ ପାଖକୁ ବିଭିନ୍ନ ଭ୍ରମିତ ବାର୍ତ୍ତା ଯିବ, ଯାହା ଏକ ଭୁଲ ଧାରଣା ସୃଷ୍ଟି କରିବ । ତେଣୁ ସେ ସ୍ୱାଧୀନ ଲଢିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ବାପା ଯାହା ଭୁଲ କରିଛନ୍ତି, ତାହା ଠିକ୍ କରିବା ହେଉଛି ବଡପୁଅର ଦାୟିତ୍ୱ । ହେଲେ କଂଗ୍ରେସ ପ୍ରତି ସିଦ୍ଧାର୍ଥଙ୍କର ଯଥେଷ୍ଟ ସମ୍ମାନ ଓ ସମର୍ଥନ ରହିଛି । କିନ୍ତୁ ଟିକେଟକୁ ଜନତାଙ୍କୁ ଭୁଲ ମେସେଜ ନ ମିଳୁ, ଅନ୍ୟପଟେ ଜଟଣୀଙ୍କୁ ମାଫିଆଙ୍କ ହାତରେ ମଧ୍ୟ ଛାଡି ହେବ ନାହିଁ ସେହି ଦୃଷ୍ଟିକୋଣରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ଜିତ୍ ହେଉ କି ହାର୍ ଯାହା ହେଲେ ବି ସେ ନିର୍ବାଚନ ମଇଦାନକୁ ଆସିବେ ବୋଲି ସିଦ୍ଧାର୍ଥ ରାଉତରାୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସାନ ଭାଇ ମନ୍ମଥ ରାଉତରାୟଙ୍କ ବିଜେଡିରେ ସାମିଲ ହେବାକୁ ନେଇ ପରିବାରରେ କେହି ସନ୍ତୁଷ୍ଟ ନାହାନ୍ତି ବୋଲି କୁହାଯାଉଛି । ଏପରିକି ବଡ ଭାଇ ସିଦ୍ଧାର୍ଥ ମଧ୍ୟ ତାଙ୍କ ପ୍ରାଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାରି ଭିତରେ ଆଜି ଜଟଣୀ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସିଦ୍ଧାର୍ଥ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ।