SUNSTARTV
ଭୁବନେଶ୍ୱର : ନିର୍ବାଚନ ସମୟ ପାଖେଇ ଆସିଲେ ଚାଲେ ରାଜନେତାଙ୍କ ଦଳ ଡିଁଆ ପ୍ରକ୍ରିୟା । ଏହା ଚାଲିଛି ଚାଲୁଛି ଆଉ ଚାଲିବ ମଧ୍ୟ । କିନ୍ତୁ ଚଳିତ ନିର୍ବାଚନରେ ବଡ ବଡ ନେତାଙ୍କ ଦଳ ଛାଡିବା ରାଜ୍ୟ ରାଜତୀତିକୁ ଦେଉଛି ଭିନ୍ନ ଏକ ରୂପ । କିଏ ବିଜେପି ଛାଡି ବିଜେଡିରେ ସାମିଲ ହେଲାଣି ତ ଆଉ କିଏ ହାତ ଛାଡି ଫୁଙ୍ଖିଲାଣି ଶଙ୍ଖ । ପୁଣି କିଏ ବିଜେଡି ଛାଡି ପଦ୍ମ ପୋଖରିରେ ଦେଲେଣି ପାଦ । ବର୍ତ୍ତମାନ ନେତାଙ୍କ ନିଷ୍ପତ୍ତି ପରିବର୍ତ୍ତନ ଜନତାଙ୍କ ଚିନ୍ତାର କାରଣ । ପୂର୍ବରୁ ଅନେକ ହେବି ୱେଟ ନେତା ଦଳ ଛାଡିଥିବା ବେଳେ ବର୍ତ୍ତମାନ ପୁଣି କଂଗ୍ରେସକୁ ଲାଗିଛି ଝଟକା । ଆଜି ହାତ ଛାଡି ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସର ଜଣେ ଟାଣୁଆ ନେତା । ଦୀର୍ଘ ୩୮ ବର୍ଷ କଂଗ୍ରସରେ ରହିବା ପରେ ଛାଡିଛନ୍ତି ହାତ । ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚାଲିଛି ନୂଆ ଏକ ଅଙ୍କ କସା ।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ସେ ହଜାର ହଜାର କର୍ମୀଙ୍କ ସହ ଆସି ଆଜି ଶଙ୍ଖଭବନରେ ପହଞ୍ଚିଛନ୍ତି ଏବଂ ବିଧିବଦ୍ଧ ଭାବରେ ଶାସକ ଦଳରେ ହୋଇଛନ୍ତି ସାମିଲ । ତେବେ ଦୀର୍ଘ ୩୮ ବର୍ଷ ହେବ କଂଗ୍ରେସରେ ଥିବା ସୁରେନ୍ଦ୍ର ବଲାଙ୍ଗୀର ଜିଲ୍ଲା ସଭାପତି ଏବଂ ଏଆଇସିସିର ସମସ୍ତ ପଦରୁ ଦେଇଥିଲେ ଇସ୍ତଫା । ଏଥିସହିତ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସରୁ ମଧ୍ୟ ଇସ୍ତଫା ଦେଇଥିଲେ ସୁରେନ୍ଦ୍ର । ଏହାପରେ ସେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ।
ତେବେ ସୁରେନ୍ଦ୍ର ଦଳରେ ମିଶିବା ପରେ ତାଙ୍କର ରାଜନୈତିକ ଭବିଷ୍ୟତ ଏବଂ ଚଳିତ ନିର୍ବାଚନରେ ତାଙ୍କର ଭୂମିକା କଣ ତାହା ଉପରେ ରହିଛି ସମସ୍ତଙ୍କ ନଜର । କାରଣ ବିଜେଡି ଟିଟିଲାଗଡରୁ ଟୁକୁନି ସୀହୁଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛିି । ବର୍ତ୍ତମାନ ଦଳ ସୁରେନ୍ଦ୍ରଙ୍କୁ କେଉଁ ସ୍ଥାନରୁ ପ୍ରାର୍ଥୀ କରିବ ନା ଅନ୍ୟ କିଛି ଦାୟିତ୍ୱ ଦେବ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ତେବେ ସୁରେନ୍ଦ୍ରଙ୍କ ରାଜନୀତି କ୍ୟାରିୟରକୁ ନେଇ ବିଭିନ୍ନ ବୁଦ୍ଧିଜୀବି ମହଲରେ ଆରମ୍ଭ ହେଲାଣି ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ।
ଅନ୍ୟପକ୍ଷେ, କଂଗ୍ରେସର ଆଉ ଜଣେ ହେବି ୱେଟ ନେତା ଚିରଞ୍ଜିବ ବିଶ୍ୱଳ ମଧ୍ୟ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ଶଙ୍ଖଭବନରେ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି । ତେବେ ୨୦୧୪ରେ ଶ୍ରୀଯୁକ୍ତ ବିଶ୍ୱାଳ ପାଇଁ କଂଗ୍ରେସ ଟିକେଟ୍ ରୁ ଜଗତସିଂହପୁର ଆସନରୁ ବିଜୟୀ ହୋଇଥିଲେ । ଏହା ପରେ ୨୦୧୯ରେ ପୁଣି ଥରେ ଜଗତସିଂହପୁରରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ପରବର୍ତୀ ସମୟରେ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ତାଙ୍କ ପୋଷ୍ଟର ଓ ବ୍ୟାନରରେ ମଧ୍ୟ କଂଗ୍ରେସ ଦଳୀୟ ନଥିଲା । ହେଲେ ଏପର୍ଯ୍ୟନ୍ତ ଚିରଞ୍ଜିବ କଂଗ୍ରେସରୁ ଇସ୍ତଫା ଦେଇନଥିଲେ ମଧ୍ୟ ଖୁବ୍ ଶୀଘ୍ର ବିଜେଡିରେ ମିଶିବା ଚର୍ଚ୍ଚା ହେଉଛି । ତେବେ ଆଗକୁ ଶାସକ ଦଳ କେଉଁ ଟ୍ରମ କାର୍ଡ ଖେଳିବ ତାହା ଦେଖିବାକୁ ବାକି ରହିଲା ।