SUNSTARTV
ନିମାପଡା: ୨୪ ନିର୍ବାଚନ ପାଇଁ ବାଜିସାରିଲାଣି ବିଗୁଲ । ଏଥର ହେବ ଘମାଘୋଟ ଲଢେଇ । ଯାହାକୁ ନେଇ ସରଗରମ ହେଲାଣି ନିମାପଡା ନିର୍ବାଚନ ମଣ୍ଡଳୀ । ଗଡ ହାତେଇବାକୁ ପ୍ରସ୍ତୁତ ହେଲେଣି ରଥି ମହାରଥି । ଏଥର ମଧ୍ୟ ନିମାପଡା ନିର୍ବାଚନ ମଣ୍ଡଳୀରେ ବାଜିବ ଶୁଭ ଶଙ୍ଖ । ତେବେ ନିମାପଡା ଏବଂ ଗୋପ ବ୍ଲକକୁ ନେଇ ଗଠିତ ଏହି ନିମାପଡା ନିର୍ବାଚନ ମଣ୍ଡଳୀରେ ତିନି ଦଶନ୍ଦି ହେବ ଶାସନ କରୁଛି ବିଜେଡି ସରକାର । ୨୦୦୯ ମସିହାଠାରୁ ନିମାପଡା ନିର୍ବାଚନ ମଣ୍ଡଳୀର ଲୋକ ପ୍ରିୟ ନେତା ଭାବେ ସମୀର ରଞ୍ଜନ ଦାସ ଓରଫ ଭାଇନା ପ୍ରତିନିଧୀତ୍ୱ କରି ଆସୁଛନ୍ତି ।ସମୟ ସ୍ରୋତରେ କେତେବେଳେ ଚର୍ଚ୍ଚାରେ ତ କେତେବେଳେ ବିବାଦରେ ରହି ମଧ୍ୟ ବଢିଛି ସମୀରଙ୍କ ଲୋକପ୍ରିୟତା। ଆଉ ନିମାପଡାରେ ମଧ୍ୟ ବଢିଛି ବିକାଶର ଚିତ୍ର। ଆଗାମୀ ନିର୍ବାଚନ ପାଇଁ ଭୋଟର ଖୁବ ଉତ୍ସାହିତ । ବିରୋଧୀ ମଧ୍ୟ ବେଶ ପ୍ରତିକ୍ରିୟା ଶୀଳ।
୨୦୦୯ମସିହାରେ ସମୀର ରଞ୍ଜନ ଦାଶ ପ୍ରଥମ ଥର ନିର୍ବାଚନ ଲଢ଼ି ୩୯ହଜାର୧୫୪ ଖଣ୍ଡ ଭୋଟରେ ଜିତିଥିଲେ। ଏହାପରେ ୨୦୧୪ମସିହାରେ ୨୯ହଜାର ୬୩୭ ଏବଂ ୨୦୧୯ମସିହାରେ ୩୨ହଜାର ୮ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ।୨୦୧୯ମସିହାରେ ବିଜେଡିର ସମୀରଙ୍କୁ ଟକ୍କର ଦେଇଥିଲେ ବିଜେପିର ପ୍ରଭାତୀ ପରିଡା।କିନ୍ତୁ ଶଙ୍ଖ ଆଗରେ ମଉଳି ଯାଇଥିଲା ପଦ୍ମ । ପ୍ରଭାତୀଙ୍କୁ ପଛରେ ପକାଇ ବିଜୟର ଶଙ୍ଖ ଫୁଙ୍କିଥିଲେ ସମୀର । ପ୍ରତି ନିର୍ବାଚନରେ ସମୀରଙ୍କ ଭୋଟହାର ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ରହୁଛି ।୨୦୦୯ରେ ୫୪ପ୍ରତିଶତ,୨୦୧୪ରେ ୫୨ପ୍ରତିଶତ ଏବଂ ୨୦୧୯ରେ ୪୯ପ୍ରତିଶତ ରହିଥିଲା। ସେହିପରି ୨୦୧୪ମସିହାରେ କଂଗ୍ରେସର ଭୋଟହାର ୧୬ପ୍ରତିଶତ ତଳକୁ ଖସିଆସିଥିବା ଯୋଗୁଁ ବିଜେପି ଏହାର ଫାଇଦା ନେଇଥିଲା। କିନ୍ତୁ ୨୦୧୯ରେ ୬ପ୍ରତିଶତ କଂଗ୍ରେସର ଭୋଟହାର ବଢିଯାଇ ଅଡୁଆରେ ପକାଇଥିଲା ବିଜେପିକୁ। ଦଳ ପାଇଥିଲା ୩୨ପ୍ରତିଶତ ଭୋଟ କିନ୍ତୁ ତାହା ପ୍ରଭାତୀଙ୍କ ପାଇଁ ଯଥେଷ୍ଟ ନଥିଲା ସମୀରଙ୍କୁ ଟକ୍କର ଦେବାକୁ।
ତେବେ ୨୦୦୯ମସିହାରୁ କ୍ରମାଗତ ଭାବେ ନିମାପଡ଼ାରେ ସମୀରଙ୍କ ଦବଦବା ବଢି ଚାଲିଛି।ଏହା ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜରିଆରେ ଲୋକ ପ୍ରିୟତା ହାସଲ କରିଛନ୍ତି ସମୀର । ନିମାପଡାରେ ଡ୍ରିଙ୍କ ଫର ୱାଟର,ଇଣ୍ଡୋର ଷ୍ଟାଡିୟମ,ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିରର ସୌନ୍ଦର୍ୟ୍ୟକରଣ ଓ ଶିଶୁ ଉଦ୍ୟାନ ଭଳି ଅନେକ ଯୋଜନା ସାରା ନିମାପଡ଼ା ବାସିଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ସେଇଭଳି ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ନିମାପଡା ମୁଖ୍ୟ ରାସ୍ତାକୁ ଓସାରିଆ କରାଯାଉଛି। ଭିତ୍ତିଭୂମି ସହିତ ଧାର୍ମିକ ସ୍ଥଳର ମଧ୍ୟ ବିକାଶ ହେଉଛି । ନିମାପଡାରେ ବଡବଡ କାର୍ଯ୍ୟକ୍ରମ ଆୟୋଜନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ସମୀର ରଞ୍ଜନ ଦାସ । ତେଣୁ ୨୦୨୪ ନିର୍ବାଚନ ସମୀରଙ୍କ ପାଇଁ ଆହୁରି ସୁଦୃଢ ହୋଇଥିବା କୁହାଯାଉଛି। ସେହିପରି ଅନ୍ୟ ଜାତୀୟ ଦଳ ମଧ୍ୟ ବିଜୟୀ ହେବାପାଇଁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଚଳିତ ନିର୍ବାଚନ କହିବ ଜିତାପଟ କାହାର ହେବ । ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ହିଁ ଦେଖିବାକୁ ବାକି ରହଲା ।