SUNSTARTV
ଭୁବନେଶ୍ୱର:ଦିନକୁ ଦିନ ରୋମାଞ୍ଚକର ହେଉଛି ରାଜ୍ୟ ରାଜନୀତି । ହେବି ୱେଟ ନେତାଙ୍କ ଦଳ ଡିଆ ବିଗାଡୁଛି ଓଡିଶା ରାଜନୀତିର ଗଣିତ । ୨୪ ନିର୍ବାଚନକୁ ନେଇ ଏବେ ଦ୍ବନ୍ଦରେ ଓଡିଶାବସି । କାହାକୁ ଦେବେ ଭୋଟ କାହାକୁ କରିବେ ପ୍ରତ୍ୟାହାର ତାକୁ ନେଇ ଦେଖାଦେଲାଣି ଭିନ୍ନ ଏକ ରାଜନୀତି । ନେତାମାନଙ୍କ ଦଲବଳଦ ରାଜନୀତି ପଶାପାଲିରେ ବଦଳାଇବ ଗୋଟି । ପୂର୍ବରୁ ଅନେକ ଟାଣୁଆ ନେତା ବିଜେପିରେ ମିଶିଥିବା ବେଳେ ବର୍ତ୍ତମାନ ଆଉ ୨ ନେତା ଧରିଛନ୍ତି ପଦ୍ମ । ଗତ ୪ମାସ ହେବ ଦଳ ଡିଆଁ ଚାଲିଥିବା ବେଳେ ଫେବୃଆରୀ ପରେ ପରେ ରାଜନୀତିରେ ସୃଷ୍ଟି ହେଉଛି ଭିନ୍ନ ଭିନ୍ନ ହଟଚମଟ ।
ମିଳିଥିବା ସୂଚନା ଅନୁଯାୟୀ, ବିଜେପି ରେ ସାମିଲ ହୋଇଛନ୍ତି ଭର୍ତ୍ତୃହରି ମହତାବ ଓ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଉଭୟ ଦିଲ୍ଲୀର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଂଚି ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ବିଜେପିରେ ସାମିଲ ହେବାକୁ ନେଇ ଚର୍ଚ୍ଚା ହେଉଥିଲା । ଯେଉଁଥିରେ ସେ ପୂର୍ଣ୍ଣଛେଦ ପକାଇ ଧରିଛନ୍ତି ପଦ୍ମ । ସେହିପରି ଦୁଇ ଦୁଇ ଥର ବ୍ରହ୍ମପୁରରୁ ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ପଦ୍ମ ପୋଖରୀକୁ ଲମ୍ଫ ମାରିଛନ୍ତି । ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଏହି ୨ ନେତା । ସେହିଭଳି ସିଦ୍ଧାନ୍ତ ମହାପାତ୍ର ବିଜେପିରେ ସାମିଲ ହେବେ ବୋଲି ଗତ ୨ ଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ତାହାକୁ ଆଜି ସତ ପ୍ରମାଣିତ କରିଛନ୍ତି ବ୍ରହ୍ମପୁର ସାଂସଦ ।
ତେବେ ପୂର୍ବ ନିର୍ବାଚନ ଅର୍ଥାତ ୨୦୧୯ରେ ସିଦ୍ଧାନ୍ତଙ୍କୁ ମିଳି ନଥିଲା ଟିକେଟ। ବୋଧହୁଏ ସେଥିପାଇଁ ଦଳୀୟ କାର୍ଯ୍ୟକ୍ରମରେ ଦେଖା ଦେଉନଥିଲେ ସିଦ୍ଧାନ୍ତ ମହାପାତ୍ର । କିନ୍ତୁ ନିର୍ବାଚନ ପାଖେଇ ଆସିବାର କିଛି ମାସ ପୂର୍ବରୁ ପୁଣିଥରେ ରାଜନୀତି ବଢିଥିଲା ସିଦ୍ଧାନ୍ତଙ୍କ ସକ୍ରିୟତା । ଯାହାଫଳରେ ସେ ଚଳିତ ବର୍ଷ ନିର୍ବାଚନ ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଅଚାନକ ପାଣି ଫଟକା ପରି ମିଳାଇ ଯାଇଥିଲା ସିଦ୍ଧାନ୍ତଙ୍କ ସକ୍ରିୟତା । ସେ ଆଜି ବିଧିବଦ୍ଧ ଭାବେ ପଦ୍ମ ପୋଖରୀରେ ବୁଡ଼ମାରି ଚର୍ଚ୍ଚାରେ ଛିଟିକାଇଛନ୍ତି ପାଣି ।
ତେବେ ବିଜେପି ଏପର୍ଯ୍ୟନ୍ତ ଆହୁରି ୩ ଲୋକ ସଭା ଆସନ ଏବଂ ବିଧାନ ସଭା ଆସନ ପାଇଁ ଘୋଷଣା କରିନାହିଁ ପ୍ରାର୍ଥୀ । କିନ୍ତୁ ଏହା ପୂର୍ବରୁ ଏହି ୨ ନେତା ବିଜେପିରେ ମିଶିବା ପରେ ଦଳ ୨ଟି ଆସନ ଏହି ୨ ଜଣଙ୍କ ନାଁରେ କରିପାରେ ବୋଲି ରାଜନୈତିକ ମହଲରେ ହେଲାଣି ଆଲୋଚନା । କଟକ ଲୋକସଭା ଆସନରୁ ଭର୍ତ୍ତୃହରି ଏବଂ ବ୍ରହ୍ମପୁର ବିଧାନସଭା ଆସନରୁ ସିଦ୍ଧାନ୍ତଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ବୁଦ୍ଧିଜୀବୀ ମହଲରେ ହେଲାଣି ଚର୍ଚ୍ଚା । ତେବେ ଏପରି ଯଦି ହୁଏ ତାହାଲେ ୨୦୨୪ ରାଜ୍ୟ ରାଜନୀତି କେଉଁ ମୋଡ ନେବ ତାହା ଉପରେ ରହିବ ସମସ୍ତଙ୍କ ନଜର ।