SunstarTV
ଆଇପିଏଲର ଅଷ୍ଟମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ଦଳ ମୁହାଁମୁହିଁ ହୋଇଥିଲେ। ତେବେ ଏହି ମ୍ୟାଚ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟ ଘଟିଛି। ରୋହିତ ଶର୍ମା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଇତିହାସ ସୃଷ୍ଟି କରିଛନ୍ତି । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୦ ମ୍ୟାଚ୍ ପୂରଣ କରିଛନ୍ତି । ଫ୍ରାଞ୍ଚାଇଜ୍ ପାଇଁ ସେ ତାଙ୍କର ୧୩ ବର୍ଷର କ୍ୟାରିୟରରେ ଏହି ସଫଳତା ହାସଲ କରିଛନ୍ତି। ରୋହିତ ଏହା ପୂର୍ବରୁ ଡେକାନ ଚାର୍ଜର୍ସ ଦଳରେ ଥିଲେ। ସେ ୨୦୧୧ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଆସିଥିଲେ।
ଆଇପିଏଲରେ ମୁମ୍ବାଇ ପାଇଁ ୨୦୦ ମ୍ୟାଚ୍ ଖେଳିଥିବା ରୋହିତ ପ୍ରଥମ ଖେଳାଳି । ସେ ଆଇପିଏଲରେ ଏକ ଫ୍ରାଞ୍ଚାଇଜ୍ ପାଇଁ ୨୦୦ କିମ୍ବା ଅଧିକ ମ୍ୟାଚ୍ ଖେଳିଥିବା ତୃତୀୟ ଖେଳାଳି । ରୋହିତଙ୍କ ପୂର୍ବରୁ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଏହି କ୍ଲବରେ ସାମିଲ ଅଛନ୍ତି । ବର୍ତ୍ତମାନ ରୋହିତ ଏହି କ୍ଲବ ରେ ଯୋଗ ଦେଇଛନ୍ତି। ବିରାଟ ଆରସିବି ପାଇଁ ୨୩୯ ମ୍ୟାଚ୍ ଖେଳିଛନ୍ତି ଏବଂ ଧୋନି ସିଏସକେ ପାଇଁ ୨୨୨ ମ୍ୟାଚ୍ ଖେଳିଛନ୍ତି।
ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କୁ ସମ୍ମାନିତ କରାଯାଇଥିଲା। ଆଇପିଏଲ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସର ସମସ୍ତ ଖେଳାଳି ରୋହିତଙ୍କ ପାଇଁ କରତାଳି ଦେଇଥିଲେ। ସଚିନ ତେନ୍ଦୁଲକର ତାଙ୍କୁ ଏକ ସ୍ୱତନ୍ତ୍ର ଜର୍ସି ଦେଇଛନ୍ତି। ଯେଉଁଥିରେ ୨୦୦ ଜର୍ସିର ପଛ ଭାଗରେ ଲେଖାଯାଇଛି।ତେନ୍ଦୁଲକର ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍ର ପ୍ରଥମ ଅଧିନାୟକ ଏବଂ ସେ ଦଳରେ ଜଣେ ମେଣ୍ଟର ଭୂମିକା ରେ ଅଛନ୍ତି ।