SunStarTV
ଧର୍ମେନ୍ଦ୍ର ପ୍ରଧାନ, ଖାଲି ଓଡିଶାର ନୁହଁ, ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ଦଶ ବର୍ଷ ଧରି କେନ୍ଦ୍ରରେ ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିଜ ପ୍ରତିଭାରେ ଖାଲି ଦେଶରେ ନୁହେଁ, ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆସନ୍ତା ୨୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ । ଆଜି ଦଳ ପକ୍ଷରୁ ଔପଚାରିକ ଭାବରେ ଘୋଷଣା ହୋଇଛି, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ।
ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଯାତ୍ରା :
ଯୁବ ଅବସ୍ଥାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ରେ ୧୯୮୬ ମସିହାରେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ଧର୍ମେନ୍ଦ୍ର ପ୍ରଧାନ ବିଏ ପ୍ରଥମ ବର୍ଷରେ ତାଳଚେରର କଲେଜ ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହେଇଥିଲେ ।
୨୦୦୧ରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଦାୟିତ୍ୱ ନେବା ପରେ ଓଡ଼ିଶା ବିଜେପିର ଯୁବ ବାହିନୀ ଯଥେଷ୍ଟ ସଶକ୍ତ ହୋଇଥିଲା l ୨୦୦୪ ମସିହାରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ନିର୍ବାଚିତ ହୋଇ ଦେଶସାରା ଯୁବକ ମାନଙ୍କୁ ନେତୃତ୍ବ ଦେଇଥିଲେ I ୨୦୦୭ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଓ ୨୦୧୦ ମସିହାରେ ଦୁଇଥର ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ I
ସେହିପରି ୨୦୦୦ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ଶ୍ରୀଯୁକ୍ତ ପ୍ରଧାନ ପ୍ରଥମ ଓଡ଼ିଆ ଭାବରେ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱରେ ରହି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସମେତ ସମ୍ବଲପୁରରେ ଅନେକ ବିକାଶମୂଳକ କାର୍ଯ୍ୟ କରି ଆସୁଛନ୍ତି l ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟ କରିବାର ଶୈଳି ଓ ରାଜନୈତିକ ଇଚ୍ଛାଶକ୍ତି ଅନ୍ୟ ମାନଙ୍କ ଠାରୁ ଭିନ୍ନ। ଏବେ ସମ୍ବଲପୁର ଲୋକସଭା ଆସନ ପାଇଁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରାର୍ଥୀ ଭାବେ ଘୋଷଣା କରିଛି । ସମ୍ବଲପୁର ସମେତ ସାରା ଓଡ଼ିଶାବାସୀ ଏବେ ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ବେଶ ଉତ୍ସାହିତ ଅଛନ୍ତି I