SunstarTV
Mahua Moitra case :ବଢିଲା ତୃଣ ମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ ଅଡୁଆ । କ୍ୟାସ୍ ଫର୍ କ୍ୱାରି ବା ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆଙ୍କ ବାସଭବନରେ ଚଢାଉ କରିଛି ସିବିଆଇ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଜାଲରେ ପୂର୍ବତନ ଲୋକସଭା ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୈତ୍ର। ଏହି ମାମଲାରେ ଗତବର୍ଷ ଡିସେମ୍ବର ୮ରେ ମହୁଆଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଏକ ମାମଲା ରୁଜୁ କରିଥିଲା ସିବିଆଇ। ତେବେ କିଛିଦିନ ପରେ ଲୋକସଭା ନିର୍ବାଚନ ଥିବାବେଳେ ପୁଣିଥରେ ଏହି ବଡ଼ ଅଡୁଆରେ ଛନ୍ଦି ହୋଇଛନ୍ତି ଏହି ଟିଏମସି ନେତ୍ରୀ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୋଲକାତା ସମେତ ମୈତ୍ରଙ୍କ ସହ ଜଡିତ ଅନେକ ସ୍ଥାନରେ ସିବିଆଇ ଚଢାଉ କରୁଛି। ଗୁରୁବାର ଦିନ ସିବିଆଇ ମହୁଆ ଙ୍କ ବିରୋଧରେ ନିୟମିତ ମାମଲା ରୁଜୁ କରିଥିଲା। ଏହା ପରେ ସିବିଆଇ ଟିମ୍ ଦକ୍ଷିଣ କୋଲକାତାର ଅଲିପୁର ରେ ଥିବା ମହୁଆ ଙ୍କ ପିତାଙ୍କ ଘରେ ପହଞ୍ଚିଥିଲା।
ସୂଚନା ମୁତାବକ ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସଂସଦରେ ପ୍ରଶ୍ନ କରି ସରକାରଙ୍କୁ ଟାର୍ଗେଟ କରିବାକୁ ମହୁଆ ଦୁବାଇର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଏବଂ ଉପହାର ନେଇଥିବା ଅଭିଯୋଗ କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମାର୍ଚ୍ଚ ୧୯ ତାରିଖରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକପାଳ। ଏହାସହ ୬ ମାସ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବା ସହ ପ୍ରତି ମାସରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ପହଞ୍ଚାଇବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ। ଏହାପରେ ୨୧ ମାର୍ଚ୍ଚରେ ମହୁଆଙ୍କ ବିରୋଧରେ ଏଫଆଇଆର୍ ଦାୟର କରିଥିଲା ସିବିଆଇ। ୨୦୧୯ରେ ଟିଏମସି ଟିକେଟରେ କୃଷ୍ଣାନଗର ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ମହୁଆ। ଏଥର ନିର୍ବାଚନରେ ମଧ୍ୟ କୃଷ୍ଣାନଗର ଲୋକସଭା ଆସନରୁ ମହୁଆଙ୍କୁ ପ୍ରାର୍ଥୀ କରିଛନ୍ତି ମମତା ଯାହା କିଛି ଦିନ ପୂର୍ବରୁ ଘୋଷଣା ହେଇଛି ।