Sunstar TV
ଭୁବନେଶ୍ୱର : କଂଗ୍ରେସର ରାଜନୈତିକ ରଣନୀତିରେ ଚାଲିଛି ଦାୟିତ୍ୱ ବଣ୍ଟନ । ରାଜ୍ୟ କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ନିର୍ବାଚନ ପୂର୍ବରୁ ହଠାତ୍ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି । ବିଜୟଙ୍କ ସ୍ଥାନରେ ପ୍ରଚାର କମିଟି ଅଧ୍ଯକ୍ଷ ଦାୟିତ୍ବ ଭକ୍ତ ଦାସଙ୍କୁ ଦିଆଯାଇଛି । ମୁଣ୍ଡ ଉପରେ ନିର୍ବାଚନ ଘଡିକେ ଛୁଟୁଛି ଘୋଡା ଏପରି ଘଡ଼ିସନ୍ଧି ମୁହୂର୍ତ୍ତ ରେ ଅଚାନକ କାହିଁକି ବିଜୟଙ୍କ ଉପରେ ଖପ୍ପା ହେଲା ଏଆଇସିସି । ଏନେଇ ଉଠୁଛି ବିଭିନ୍ନ ପ୍ରଶ୍ନ ଏବଂ ବିଭିନ୍ନ ମହଲରୁ ଶୁଣିବାକୁ ମିଳୁଛି ନାନା କଥା।
ସୂଚନା ଯୋଗ୍ୟ ଯେ, ଚର୍ଚ୍ଚା ହେଉଛି ବିଜୟଙ୍କ କାର୍ଯ୍ୟଶୈଳୀକୁ ନେଇ ହାଇକମାଣ୍ଡ ଅସନ୍ତୁଷ୍ଟ ଥିବା ସହ କିଛି ନେତା ବିଜୟଙ୍କ ବିରୋଧରେ ହାଇକମାଣ୍ଡଙ୍କୁ ଅଭିଯୋଗ କରିଛନ୍ତି । ଏନେଇ ବିଜୟ ପଟ୍ଟନାୟକଙ୍କ ପକ୍ଷ ଛେଦନ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ତେବେ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ହଟାଯିବା ପରେ ବିଜୟ ପଟ୍ଟନାୟକ ,ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭକ୍ତ ଦାସଙ୍କ ସହ ବରାବର ଯୋଗାଯୋଗ ରହିଥିଲା । କଂଗ୍ରେସର ବିଭିନ୍ନ ଓ୍ଵିଙ୍ଗ୍ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ରଚାର ପାଇଁ ଅଧିକ ସହାୟକ ହେବ ଭକ୍ତ ଦାସଙ୍କ ଯୋଗଦାନ । ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପରିବର୍ତ୍ତନ ଦ୍ବାରା କୌଣସି ପ୍ରଭାବ ପଡ଼ିବନି। ଗତକାଲି ଏଆଇସିସି ସଭାପତି ଭକ୍ତ ଦାସଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ଅର୍ପଣ କରିଛନ୍ତି । ପୂର୍ବରୁ ଏହି ଦାୟିତ୍ବ ବହନ କରୁଥିବା ବିଜୟ ପଟ୍ଟନାୟକ ଆଗକୁ ନିର୍ବାଚନ ସମନ୍ବୟ କମିଟି ସଭାପତି ଭାବେ କାର୍ଯ୍ୟ ତୁଲାଇବେ।