Sunstar Tv
ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ। ଗତକାଲି ତାଙ୍କ ବ୍ରେନ୍ ଡେଡ୍ ହୋଇଥିବାର ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଥିଲେ। ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।
ହୃଦଘାତ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଗତ ୧୮ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସେହିପରି ୩ ମାସ ତଳେ ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ ଅସୁସ୍ଥ ହୋଇପଡିଥିଲେ। ଯକୃତରେ ପାଣି ଜମି ଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ଆଜି ଭେଟେରାନ ନେତା ସବୁ ଦିନ ପାଇଁ ଚିର ନିଦ୍ରାରେ ଶୋଇପଡ଼ିଛନ୍ତି।
ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ଜଣେ ନାମୀ ଓ ଦକ୍ଷ ରାଜନେତା ଭାବରେ ବେଶ୍ ଜଣାଶୁଣା ଥିଲେ। ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ସେ ବହୁବାର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯିବାରୁ ସେ ୨୦୦୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ।
ହେଲେ ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। ଏହାପରେ ସେ ବିଜେପିକୁ ବାଏ ବାଏ କରିଦେଇଥିଲେ। ଗତ କିଛି ମାସ ପୂର୍ବରୁ ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ପୁଣି ବିଜେଡିକୁ ଫେରାଇ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।