SUNSTARTV
”ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚଷା
ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା ।”
ଓଡିଆଙ୍କ ଗର୍ବ, ଓଡିଆଙ୍କ ସ୍ୱାଭିମାନ , ପ୍ରତି ଓଡିଆର ପ୍ରିୟ ଖାଦ୍ୟ ସେ । ଧନି ହେଉ କି ଗରିବ , ଚାଷି ହେଉ କି ବଡ ଲୋକ ସମସ୍ତଙ୍କ ମନରେ ତାକୁ ନେଇ ରହିଛି ଭିନ୍ନ ଏକ ଆବେଗ । ସେ ଆଉ କେଉଁ ଖାଦ୍ୟ ନୁହେଁ ବରଂ ପ୍ରତି ଓଡିଆଙ୍କ ପ୍ରମୁଖ ଖାଦ୍ୟ ପଖାଳ । କେବଳ ଯେ ମଣିଷଙ୍କ ପାଇଁ ଏହା ପ୍ରିୟ ଖାଦ୍ୟ ତାହା ନୁହେଁ ବରଂ ଓଡିଆଙ୍କ ବଡ ଠାକୁର ମହାପ୍ରଭୁ କାଳିଆର ମଧ୍ୟ ପଖାଳ ଭାରି ପ୍ରିୟ । ଯାହାର ପ୍ରମାଣ ହେଉଁଛି ପୁରୀ ଶ୍ରୀମନ୍ଦିରର ଟଙ୍କ ତୋରାଣି । ଆଉ ଆଜି ହେଉଛି ସେହି ପଖାଳ ପାଇଁ ଦିନଟିଏ ପଖାଳ ଦିବସ । ଏହା କେବଳ ଓଡିଆଙ୍କ ପ୍ରଧାନ ଖାଦ୍ୟ ତାହା ନୁହେଁ ବରଂ ସମଗ୍ର ବିଶ୍ୱ ପଖାଳ କଂସାକୁ ଭଲ ପାଏ ଆଉ ସେଥିପାଇଁ ଆଜି ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରୁଛି ।
ତେବେ ଏହି ପଖାଳ ସହିତ ଓଡିଆଙ୍କ ନିବିଡତା କାଇଁ କେଉଁ କାଳରୁ ଯୋଡି ହୋଇ ରହିଛି । ଓଡିଆର ପରମ୍ପରା, ସଂସ୍କୃତି ଓ ଐତିହସବୁ କିଛି ଲୁଚି ରହିଛି ଏହି ପଖାଳ କଂସାରେ । ଖାସ କରି ଖରାଦିନ ଆସିଲେ ସମସ୍ତଙ୍କ ମନେ ପଡେ ଏହି ଖାଦ୍ୟ । ଯେତେ ଯାହା ଖାଇଲେ ମଧ୍ୟ ପଖାଳ ମୁଠାଏ ପୋଟରେ ପଡିଗଲେ ଆଉ ଢୋକେ ତୋରାଣି ପିଇଦେଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ ତାହା ଆଉ କେଉଁ ଖାଦ୍ୟରେ ନଥାଏ । ଖରା ହେଉ କି ବର୍ଷା କିମ୍ବା ହେଉ ଶୀତ ବର୍ଷକ ୩୬୫ ଦିନ ପ୍ରତି ଓଡିଆଙ୍କୁ ଦରକାର ପଖାଳ । ଏହା କେବଳ ମନକୁ ଯେ ଶାନ୍ତି ଦିଏ ତାହା ନୁହେଁ ବରଂ ମନେପକାଇଦିଏ ଅନେକ କିଛି ଅଭୁଲା ସୃତିକୁ । ପିଲା ଦିନେ ମା ସହ ମିଶି ପଖାଳ ଖାଇବା ଠାରୁ ଆରମ୍ବ କରି ଶୀତ ଦିନେ କଅଁଳିଆ ଖରାରେ ପଖାଳ ଗଣ୍ଡେ ଖାଇ ସ୍କୁଲ ଯିବାପର୍ଯ୍ୟନ୍ତ ଅନେକ କିଛି ମିଠା ମିଠା ସୃତିକୁ ଯାବିଡି ଧରିଛି ଏହି ପଖାଳ କଂସା । ଆଉ ସେହି ପଖାଳକୁ ମିଳିଛି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ଏକ ପରିଚୟ । ସେଥିପାଇଁ ତ ସମଗ୍ର ବିଶ୍ୱରେ ଆଜି ପାଳନ ହେଉଛି ଓଡ଼ିଶା ସଂସ୍କୃତି, ପରମ୍ପରା ଏବଂ ପ୍ରତ୍ୟେକ ଓଡ଼ିଆ ପାଇଁ ଏକ ବଡ଼ ପର୍ବ ବିଶ୍ୱ ‘ପଖାଳ ଦିବସ’ ।
ଓଡ଼ିଆ ଜାତିର ପରିଚୟ ଆଉ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ଗୁଣ୍ଡାଏ ପଖାଳ ସାଙ୍ଗକୁ କଂସାଏ ତୋରାଣିରେ କେତେ ଯେ ଶାନ୍ତି ମିଳେ, ତାହା କେବଳ ଜଣେ ଓଡ଼ିଆ ହିଁ ଅନୁଭବ କରିପାରିବ । ଖାଲି ଓଡ଼ିଶା ନୁହେଁ, ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ପାଳୁଛନ୍ତି ‘ବିଶ୍ୱ ପଖାଳ ଦିବସ’ । ଗ୍ରୀଷ୍ମଋତୁକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ ଓଡ଼ିଆ ଜାତିର ସ୍ୱତନ୍ତ୍ର ପର୍ବ ପକାଳ ଦିବସ ।
ତେବେ ଏହି ପଖାଳ ବିଭିନ୍ନ ପ୍ରକାର ର ହୋଇଥାଏ । କିଏ ବାସି ପଖାଳ ଖାଇବାକୁ ଭଲ ପାଏ ତ ଆଉ କିଏ ସଜ ପଖାଳ ପୁଣି କାହା ମନ ଥାଏ ଦହି ପଖାଳରେ । ଆଉ କିଏ ପଖାଳକୁ ଛୁଙ୍କ କରି ତାର ଆନନ୍ଦ ନିଏ ତ ଆଉ ପୁଣି କିଏ କରେ ପାଖାଳ ପାଗ । ତେବେ ସେ ଯାହା ହେଉନା କାହିଁକି ପଖାଳ ସାଙ୍ଗକୁ ଗରମ ଗରମ ଶାଗ ଭଜା ଆଉ ଘର ତିଆରି ବଡି ଚଟଣୀ ପଖାଳ ଖାଇବାର ମଜାକୁ କରି ଦିଏ ଦ୍ୱିଗୁଣ । ସେହିପରି ମାଛ ଭଜା, ଶୁଖୁଆ ପୋଡା ଟମୋଟୋ ପାଗ ଆଉ ଶୁଖିଲା ଆମ୍ବୁଲର ଝୋଳ ପଖାଳ ଖାଇବାର ମଜାକୁ କରିଦିଏ ଆହୁରି ନିଆରା ।
ଏକଦା ଗରିବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ଆଗକାଳରେ ସିନା ପଖାଳ ସହ ଶୁଖୁଆ ଥିଲା ପାରମ୍ପରିକ ସାଥୀ। ଏବେ କିନ୍ତୁ ପଖାଳ ସହ ଚୂନା ମାଛଭଜା ଓ ଛତୁ ଆଦି ପରଷା ଯାଉଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱର କୋଣଅନୁକୋଣରେ ଓଡ଼ିଆଙ୍କର ଏହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି। କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି, ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିବସ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ବାଗତ କରିଥାନ୍ତି। ଓଡ଼ିଶାର ପରମ୍ପରା ଓ ସଂସ୍କୃତି ସହିତ ଜଡ଼ିତ ‘ପଖାଳ’କୁ ସାରା ବିଶ୍ବରେ ପରିଚିତ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ।