SUNSTARTV
ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶାକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା। ପୂର୍ବରୁ ଓଡ଼ିଶାର କ୍ୟାପିଟାଲ ହସ୍ପିଟାଲ ସମଗ୍ର ଭାରତ ବର୍ଷରେ ପ୍ରଶଂସା ସାଉଁଟିଥିବା ବେଳେ ବର୍ତ୍ତମାନ ଓଡ଼ିଶାର ବିଏଲଓ ମାସ୍କଟ (BLO ICON-Mita Didi) ‘ମିତା ଦିଦି’କୁ ମଧ୍ୟ ଭାରତ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ସ୍ଥାନ ଦେଇଛନ୍ତି। ତେବେ ଓଡ଼ିଶାର ଏହି ବିଏଲ୍ଓ ମାସ୍କଟ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍ଓ ମାସ୍କଟ ପାଲଟିଛି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲ୍ଓମାନଙ୍କୁ ଜଣାଇଛନ୍ତି ଅଭିନନ୍ଦନ ।
ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାରେ ବିଏଲ୍ଓ ଅର୍ଥାତ ବୁଥ୍ ଲେବୁଲ୍ ଅଫିସର ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଭୋଟର ତାଲିକା ସଂଶୋଧନ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ବୁଥସ୍ତରୀୟ ଅଧିକାରୀମାନେ ତୁଲାଇଥା’ନ୍ତି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ । ତେବେ ପଦାକୁ ଦେଖା ଯାଉନଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସଫଳ ରୂପାୟନ ପାଇଁ ଏହି ବିଏଲ୍ଓ ଗୁରୁ ଦାୟିତ୍ୱ ବହନ କରିଥାନ୍ତି । ଯେଉଁଥିପାଇଁ ସେମାନଙ୍କୁ ନିର୍ବାଚନର ‘ଅକୀର୍ତ୍ତିତ ନାୟକ’ ଭାବେ ଅଭିହିତ କରାଯାଏ। ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ବୁଥ୍ ଲେବୁଲ୍ ଅଫିସର ମାନଙ୍କର ଦାୟିତ୍ୱ ଖୁବ ବେଶୀ। ଆସନ୍ତା ସାଧାରଣ ନିର୍ବାଚନରେ ବୁଥସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବେ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।
ଶ୍ରୀ ଧଳ କହିଛନ୍ତି ବର୍ତ୍ତମାନ ଓଡ଼ିଶାର ‘ମିତା ଦିଦି’ ସମଗ୍ର ଦେଶର ବୁଥସ୍ତରୀୟ ଅଧିକାରୀଙ୍କ ପ୍ରତିନିଧି ପାଲଟିଛି । ଏହା ବ୍ୟତୀତ ନିର୍ବାଚନ କମିଶନଙ୍କ ବୁଥସ୍ତରୀୟ ଅଧିକାରୀ ପତ୍ରିକାର ଦଶମ ସଂସ୍କରଣରେ ‘ମିତା ଦିଦି’ ସ୍ଥାନ ପାଇଛି | ଯାହାକି ସମସ୍ତ ବୁଥସ୍ତରୀୟ ଅଧିକାରୀ ତଥା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏହା ସମସ୍ତ ବୁଥସ୍ତରୀୟ ଅଧିକାରୀଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତବ୍ୟକ୍ତ କରିଛନ୍ତି।