SUNSTARTV
ଜଗତର ନାଥ ସେ ଜଗନ୍ନାଥ , କୋଟି ଓଡ଼ିଆଙ୍କ ମଉଡ଼ମଣି । ଯାହାଙ୍କ ନିର୍ଦେଶ ବିନା ଗଛ ପତ୍ରଟିଏ ବି ହଲେ ନାହିଁ । ଏଇ ଚକାଡ଼ୋଳିଆ ଭକ୍ତ ବତ୍ସଳିଆର ହଜାରେ ଲୀଳା ସହସ୍ର ବେଶ । କେତେବେଳେ ସେ ସାନ୍ନ ମଣ୍ଡପରେ ମହାସାନ୍ନ କରେ ତା ଆଉ କେତେବେଳେ ରୁହେ ଅଣସର ଘରେ। ପୁଣି କେତେବେଳେ ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ ଦାଣ୍ଡକୁ ଆସେ ତ କେତେବେଳେ ଶ୍ରୀ ମନ୍ଦିରରେ ଖେଳେ ଫଗୁ । ତେବେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଫଗୁ ଖେଳ ଏବଂ ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ହୋଇଛି ନୀତିକାନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମହାବାହୁଙ୍କ ଫଗୁ ଖେଳ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆଜିଠାରୁ ଶ୍ରୀ ମନ୍ଦିରରେ ଏକ ସପ୍ତାହ ଧରି ଆରମ୍ଭ ହେବ ଦୋଳ ଉତ୍ସବ । ତେବେ ମହାବାହୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳ ଯାତ୍ରା ।
ତେବେ ଆଜି ଫଗୁ ଦଶମୀରେ ମିଶ୍ରୀମନ୍ଦିରରେ ମାଧ୍ୟାନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ , ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବୀବନରେ ବସି ଶ୍ରୀ ଜଗନ୍ନାଥ ବଲ୍ଳଭ ମଠକୁ ବିଜେ କରିବେ । ଏହାପରେ ସେଠାରେ ଲାଗି କରାଯିବ ଅବିର ଓ ଫଗୁ । ବିଶ୍ୱାସ ରହିଛି ଯେ ଫାଲ୍ଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଶ୍ରୀଜିଉଙ୍କୁ ଦର୍ଶନ କଲେ ମିଳିଥାଏ କୋଟି ପୁଣ୍ୟ ।
ତେବେ ଏହି ଫଗୁ ଦଶମୀ ଅବସରରେ କାଳିଆ ସାଆନ୍ତଙ୍କ ଚାରୋଟି ବେଶ ଓ ଚାରୋଟି ଭୋଗ ଅନୁଷ୍ଠିତ ହେବ । ଆସନ୍ତା ଚତୁର୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି ୪ଟି ବେଶରେ ମହାବାହୁ ରକ୍ତ ବସ୍ତ୍ର ପରିଧାନ କରିବା ସହ ବିଭନ୍ନ ଅଳଙ୍କାରେ ହେବେ ସୁସଜ୍ଜିତ । ତେବେ ପ୍ରତିଦିନ ମାଧ୍ୟାନ ଧୂପ ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯିବ ।
ଏହାବ୍ୟତୀତ ଆସନ୍ତା ୨୪ରେ ମେଣ୍ଢା ପୋଡ଼ି ଉତ୍ସବ ଏବଂ ୨୫ରେ ଦୋଳ ପୂର୍ଣ୍ଣିମା ଥିବାରୁ ସ୍ୱତନ୍ତ୍ର ନୀତିକାନ୍ତି ନେଇ ବୈଠକରେ ଆଲୋଚନା ହୋଇଛି । ଏହି ଦୁଇ ଦିନ ଭୋର ୩ଟାରୁ ହେବ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି । ଏହାପରେ ଦୋଳ ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ନେଇ କରାଯିବ ସମସ୍ତ ପ୍ରକାର ବ୍ୟବସ୍ଥା ।ସେମାନଙ୍କ ମନ୍ଦିର ପ୍ରବେଶ ଠାରୁ ଆରମ୍ଭ କରି ପ୍ରସ୍ଥାନ ପର୍ଯନ୍ତ ସବୁ ଉପରେ ରହିବ ପ୍ରଶାସନର ଦୃଷ୍ଟି | ଏହାଛଡା ଗ୍ରୀଷ୍ମ ପ୍ରବାହକୁ ଦେଖି ଭକ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯିବ ।