Sunstar TV
ଭୁବନେଶ୍ୱର : ଘୋଷଣା ହୋଇସାରିଛି ନିର୍ବାଚନ ତାରିଖ ଏବେ ନଜର ରହିଛି ସିଟ ଉପରେ, କାହାକୁ ମିଳିବ କେଉଁ ସିଟ ? ସେନେଇ ଘନ ଘନ ବୈଠକ ଆଲୋଚନା ଓ ପର୍ଯ୍ୟାଲୋଚନା । ଲୋକସଭା ନିର୍ଵାଚନ ପାଇଁ ଏହାରି ଭିତରେ ବିହାରରେ ଛିଡିଲା ସିଟ୍ ଭାଗବଣ୍ଟା । ଏନଡିଏର ଦଳମାନଙ୍କ ଭିତରେ ସିଟ୍ ବଣ୍ଟନକୁ ନେଇ ଲାଗି ରହିଥିଲା ଦ୍ୱନ୍ଦ୍ୱ । ଶେଷରେ ଦ୍ଵନ୍ଦ ଦୂର ହେଇଛି । ବିହାରରେ ରହିଛି ମୋଟ ୪୦ଟି ଆସନ ସେଥି ମଧ୍ୟରୁ ବିଜେପି ୭ଟି ଆସନରେ ଲଢିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହ ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ ସାମ୍ବାଦିକ ସମ୍ମିଳନୀ କରି ଏନଡିଏ ମେଣ୍ଟ ଭିତରେ ସିଟ୍ ସେୟାରିଂ ଫର୍ମୁଲା ସହ ସବୁ ଦଳଙ୍କ ସମର୍ଥନ ରହିଥିବା ନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବିହାରରେ ଏଥର ମୋଟ ୧୭ଟି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଦେଉଥିବା ବେଳେ ଜେଡିୟୁ ୧୬ଟି ଆସନରେ ଲୋକସଭା ନିର୍ବାଚନ ଲଢିବ । ଏହା ସହ ଚିରାଗ ପାସୱାନଙ୍କ ଦଳ ଲୋକଜନ ଶକ୍ତି କୁ ୫ଟି, ଜିତନ ରାମ ମାଞ୍ଝୀଙ୍କ ହାମ ଓ ଉପେନ୍ଦ୍ର କୁଶବାହାଙ୍କ ଦଳ ଗୋଟିଏ ଲେଖାଏଁ ଆସନରେ ନିଜର ପ୍ରାର୍ଥୀ ଦେବେ ବୋଲି ସ୍ଥିର କରାଯାଇଛି । କିନ୍ତୁ ପଶୁପତି ପାରସଙ୍କ ରାଷ୍ଠ୍ରୀୟ ଲୋକ ଜନଶକ୍ତି ପାର୍ଟିକୁ ଗୋଟିଏ ସିଟ୍ ବି ଦିଆଯାଇନାହିଁ । କାରଣ କିଛି ଦିନ ତଳେ ସେ ମେଣ୍ଟ ଛାଡିବା ନେଇ ସଙ୍କେତ ଦେଇଥିଲେ, ଆଉ ତାଙ୍କ ପାଖରେ ବିକଳ୍ପ ଖୋଲା ଅଛି ବୋଲି ପ୍ରକାଶ କରିଥିଲେ । ତେଣୁ ତାଙ୍କର ଏଭଳି ଆଚରଣ ଦୃଷ୍ଟି ରେ ରଖି ଗୋଟିଏ ବି ସିଟ ତାଙ୍କୁ ଦିଆଯାଇନାହିଁ ।
ଚିରାଗ ପାସୱାନଙ୍କ ଦଳର ନେତା ରାଜୁ ତିୱାରୀ କହିଛନ୍ତି ଯେ, ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ କଥାବାର୍ତ୍ତା ପରେ ଲୋକ ଜନ ଶକ୍ତି ଦଳକୁ ୫ଟି ସିଟ୍ ମିଳିଛି । ସେ ଏହା ମଧ୍ୟ କହିଛନ୍ତି ଯେ, କେବଳ ୫ଟି ସିଟ୍ ନୁହେଁ, ବରଂ ଏନଡିଏ ସମସ୍ତ ୪୦ଟି ସିଟରେ ବିଜୟ ଲାଭ କରିବ । ସେପଟେ, ଜେଡିୟୁ ନେତା ସଞ୍ଜୟ ଝା ଏବଂ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ମଧ୍ୟ ଏନଡିଏର ୪୦ଟି ସିଟ୍ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ।
ସୂଚନା ଯୋଗ୍ୟ ଯେ , ବିହାରରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି । ୧୯ ଏପ୍ରିଲ ସହିତ ୨୬ ଏପ୍ରିଲ, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ବିହାରରେ ଭୋଟ୍ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୪ଟି ସିଟ୍, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେରେ ୫ଟି ଲେଖାଏଁ ସିଟରେ ଭୋଟ୍ ଗ୍ରହଣ କରାଯିବ । ଏହାପରେ ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ୮ଟି ଲେଖାଏଁ ସିଟରେ ଭୋଟ୍ ହେବ । ଗତ ବର୍ଷ ନିର୍ବାଚନରେ ଏନଡିଏ ମେଣ୍ଟ ବିହାରର ୪୦ଟି ଆସନରୁ ୩୯ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା । ପୂର୍ବ ଭଳି ଚଳିତ ଥର ମଧ୍ୟ ସେହି ପରି ବିଜୟ ଲାଭ ଲକ୍ଷ୍ୟରେ ରହିଛି ଏନଡିଏ ।