SunstarTV
ରାଜ୍ୟରେ ଯାନବାହନ ଦୃତ ଗତିରେ ବୃଦ୍ଧି ପାଉଛି। ପ୍ରତିଟି ଘରେ ଆପଣ ଗାଡି ଦେଖିପାରିବେ ।କିନ୍ତୁ ଲୋକ ମାନେ ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ବିଭିନ୍ନ ଗାଡି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଲୋକଙ୍କୁ ବହୁତ ଅସୁବିଧା ହୁଏ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୫୪ଟି ଆରଟିଓ କ୍ୟାମ୍ପ୍ ଅଫିସ୍ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରଟିଓ ଭଳି କ୍ୟାମ୍ପ୍ ଅଫିସ୍ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ। ଫଳରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ଆରଟିଓ କାର୍ଯ୍ୟାଳୟଠାରୁ ଦୂରରେ ରହୁଥିବା ଲୋକେ ସମସ୍ୟା ଭୋଗିବେ ନାହିଁ। ସେମାନଙ୍କ ଘର ପାଖରେ ଖୋଲିବ ଆରଟିଓ କ୍ୟାମ୍ପ୍ ଅଫିସ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ସମୁଦାୟ ୫୪ଟି କ୍ୟାମ୍ପ୍ ଅଫିସ୍ ଖୋଲାଯିବ। ଆରଟିଓ କାର୍ଯ୍ୟାଳୟରେ ଗହଳି ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କମିଶନର କ୍ୟାମ୍ପ୍ ଅଫିସ୍ ଖୋଲିବା ପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ମିଳିଥିଲା।
ମିଳିଥିବା ସୂଚନା ଅନୁସାରେ,ଭଦ୍ରକରେ ଚାନ୍ଦବାଲି ଓ ଧାମରା, ଯାଜପୁରରେ କାଳିଆପାଣି ଓ କଳିଙ୍ଗନଗର, ବାଲେଶ୍ୱରରେ ନୀଳଗିରି ଓ ଜଳେଶ୍ୱର, କେନ୍ଦୁଝରରେ ଆନନ୍ଦପୁର ଓ ଚମ୍ପୁଆ, ସୁନ୍ଦରଗଡ଼ରେ ହେମଗିରି, ଗଞ୍ଜାମ ଜିଲ୍ଲାରେ ଅସ୍କା ଓ ବ୍ରହ୍ମପୁର, କଳାହାଣ୍ଡିରେ ଧର୍ମଗଡ଼, ମୟୂରଭଞ୍ଜରେ କରଞ୍ଜିଆ ଓ ବେତନଟୀ, ବଲାଙ୍ଗିରରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼, ସମ୍ବଲପୁରରେ ରେଢ଼ାଖୋଲ ଓ କୁଚିଣ୍ଡା, ଜଗତସିଂହପୁରର ପାରାଦ୍ୱୀପ, କଟକରେ ଆଠଗଡ଼ ଓ ନିଆଳିରେ କ୍ୟାମ୍ପ୍ ଅଫିସ୍ ଖୋଲିବ।
ସେହିପରି କେନ୍ଦ୍ରାପଡ଼ାରେ ପଟ୍ଟାମୁଣ୍ଡାଇ, ରାଉରକେଲାରେ ବଣାଇ, ରାଜଗାଙ୍ଗପୁର ଓ କୋଇଡ଼ା, ଅନୁଗୁଳରେ ଆଠମଲ୍ଲିକ, ତାଳଚେରରେ ପାଲଲହଡ଼ା ଓ ଏନ୍ଟିପିସି କଣିହା, ଢେଙ୍କାନାଳରେ କାମାକ୍ଷାନଗର, ଖୋର୍ଦ୍ଧାରେ ବାଲୁଗାଁ ଓ ବୋଲଗଡ଼, ନୟାଗଡ଼ରେ ଦଶପଲା ଏବଂ ଓଡ଼ଗାଁ, ପୁରୀରେ ନିମାପଡ଼ା ଓ କୋଣାର୍କ, ରାୟଗଡ଼ାରେ ଗୁଣୁପୁର, କାଶୀପୁର ଓ ମୁନିଗୁଡ଼ା, କୋରାପୁଟରେ ଜୟପୁର ଓ ସେମିଳିଗୁଡ଼ା, ଗଜପତିରେ ମୋହନାଠାରେ କ୍ୟାମ୍ପ୍ ଅଫିସ ଖୋଲିବ।
ସେପଟେ ଦେଖିବାକୁ ଗଲେ ଝାରସୁଗୁଡ଼ାରେ ବ୍ରଜରାଜନଗର ଓ ଲଖନପୁର, ମାଲକାନଗିରିରେ ମୋଟୁ ଓ ଚିତ୍ରକୋଣ୍ଡା, ଫୁଲବାଣୀରେ ବାଲିଗୁଡ଼ା ଓ ଜି. ଉଦୟଗିରି, ନୂଆପଡ଼ା, ନବରଙ୍ଗପୁରରେ ଉମରକୋଟ ଓ ଡାବୁଗାଁ, ବୌଦ୍ଧରେ କଣ୍ଟାମାଳ ଓ ଚାରିଛକ, ସୋନପୁରରେ ଡୁଙ୍ଗିରିପାଲି, ଦେବଗଡ଼ ଜିଲ୍ଲାର ରିଆମାଳରେ ଏପରି କ୍ୟାମ୍ପ୍ ଅଫିସ ଖୋଲାଯିବ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଆରଟିଓ କାର୍ଯ୍ୟାଳୟରେ ଭିଡ଼ ହ୍ରାସ କରିବା । ଅନ୍ଲାଇନ୍ରେ ସବୁ ସେବା ମିଳୁଥିବା ପରେ ମଧ୍ୟ ଅନେକ ଲୋକ ଆରଟିଓ ଆସିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ବହୁଦୂର ହେଉଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ କ୍ୟାମ୍ପ୍ ଅଫିସ ଖୋଲିବା ପାଇଁ ପଦକ୍ଷେପ ନେଇଛି।