Sunstar TV
ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ସରଗରମ ରାଜ୍ୟ ଠାରୁ ନେଇ ଦେଶ । ଏହାରି ଭିତରେ ସବୁ ଅପେକ୍ଷାର ଅବସାନ ଘଟିଛି । ବାଜି ସାରିଲାଣି ନିର୍ବାଚନୀ ବିଗୁଲ, ଆସିବେ ନେତା ହେବ ପ୍ରଚାର ଏଣିକି ହେବ ଘନ ଘନ ନାରାବାଜି । କିଏ ଗାଇବ ଜୟ ହୋ ତ କିଏ ବଜେଇବ ଜିନ୍ଦାବାଦ ! ଉଡ଼ିବ ପତାକା ଲାଗିବ ପୋଷ୍ଟର ଚାରିଆଡେ ଖାଲି ଦଳୀୟ ଚିହ୍ନ । ଗାଁ ହେଉ ଅବା ସହର ଇଏ ପରା ପାଞ୍ଚ ବରଷର ପର୍ବ ନିର୍ବାଚନ । ଏହି ପର୍ବରେ ଭଗବାନ ବି ଜନତା ମନ୍ଦିର ବି ଜନତା ପୂଜା କରିବା ପାଇଁ କେବଳ ଆଉ କେବଳ ରାଜନେତା । ପ୍ରକାଶ ପାଇସାରିଛି ଖବର କେବେ ହେବ ଭୋଟ ପୁଣି କେବେ ହେବ ଗଣତି । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ହେଲା ତାରିଖ ଘୋଷଣା। ଆଗାମୀ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବେ ନିର୍ବାଚନ କମିଶନର। ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ପ୍ରତ୍ୟେକଟି ନିର୍ବାଚନ ଏକ ନୂଆ ପରୀକ୍ଷା । ଏହି ପରୀକ୍ଷା ନେବେ ବି ଜନସାଧାରଣ ଆଉ ଦେବେ ବି ଜନସାଧାରଣ ହେଲେ ଫଳାଫଳ କୁ ଚାହିଁରହିଥିବେ ବଡ ବଡ ନେତା ଓ ମନ୍ତ୍ରୀ । ଆଖି କୁ ହେବନି ନିଦ ଖାଲି ଗଣୁଥିବେ ଦିନ କେହି ପାସୋରିଯିବେ ତ କେହି ନୂଆ ଦିଗର ଆଲୋକ ସାଜିବେ । ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ଭୋଟ । ମାର୍ଚ୍ଚ ୨୦ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ । ମେ ମାସ ୧୩, ୨୦ , ୨୫ ଓ ଜୁନ ୧ ତାରିଖରେ ହେବ ଭୋଟ ଗ୍ରହଣ ।
– ମେ’ ୧୩- କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ
– ମେ’ ୨୦- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା
– ମେ’ ୨୫- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର
ଜୁନ୍ ୧- ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର
ରାଜ୍ୟସଭା ପରି ସେପଟେ ଲୋକସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ, ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ଆରମ୍ଭ ହୋଇ ଜୁନ ୧ ରେ ୭ମ ପର୍ଯ୍ୟାୟରେ ସରିବ ଭୋଟ ଗ୍ରହଣ । ପରେ ଜୁନ ମାସ ୪ ତାରିଖରେ ସାରା ଦେଶରେ ହେବ ଭୋଟ ଗଣତି । ନିର୍ଦ୍ଧାରଣ ହେବ ଭାଗ୍ୟ କିଏ ଜିତିବ ଆଉ କିଏ ହାରି ପୁଣି ଅପେକ୍ଷା କରିବ ୫ ବର୍ଷ। ଏଥର ଭୋଟରଙ୍କ ସଂଖ୍ୟା ୯୭ କୋଟିରୁ ଅଧିକ ରହିଛି । ୨୧.୫ କୋଟି ଯୁବ ଭୋଟର କରିବେ ମତଦାନ । ଶତାୟୁ ଭୋଟରଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ ପ୍ରାୟ ୨୧ ଲକ୍ଷରୁ ଅଧିକ । ୧୦.୫ ଲକ୍ଷ ପୋଲିଂ ବୁଥରେ ହେବ ମତଦାନ । ଏଥିପାଇଁ ଦେଢ଼ ଲକ୍ଷ ପୋଲିଂ ଅଫିସର ହେବେ ନିଯୁକ୍ତ । ୫୫ ଲକ୍ଷ EVM ମେସିନର ବ୍ୟବହାର କରାଯିବ। ତେବେ ଏହି ଚଳଚଞ୍ଚଳ ପରିସ୍ଥିତିରେ ଗୋଟେ ବି ଭୋଟ ଛାଡିବାକୁ କେହି କରନ୍ତିନି ମନ। ବୋଧ ହୁଏ ସେଥିପାଇଁ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା। ବୟସ୍କ ଭୋଟରଙ୍କୁ ହୋଇପାରେ ଯିବା ଆସିବାରେ ଅସୁବିଧା ଏନେଇ ଏକ ସୁବିଧା ହୋଇଛି, ଘରେ ରହି ଭୋଟ ଦେଇପାରିବେ ବୟସ୍କ ଭୋଟର ।
ଶୁଭିଲାଣି ରଣହୁଙ୍କାର, ମୈଦାନକୁ ଆସିବେ ରାଜନୈତିକ ଦଳ । ଢେର ଆଲୋଚନା ପର୍ଯ୍ୟାଲୋଚନା ସହ ସମାଲୋଚନା କିଏ ପାଇବ ଟିକେଟ କାହାର ଆଶା ହେବ ନିରାଶା ? ଜନତା ଧରିବେ ତରାଜୁ ମାପହେବେ ରାଜନେତା । କହିବ କହିବ କହିବ ଜୁନ ୪ ହିଁ ପଦାରେ ପକାଇବ ରାଜନେତାଙ୍କ ଭିତିରି କଥା ସହ ଜନତାଙ୍କ ମନର କଥା।