SUNSTARTV
ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ମେଟ୍ରିକ ପିଲାଙ୍କ ଖାତା ଦେଖା । ରାଜ୍ୟର ୫୫ ଟି କେନ୍ଦ୍ରରେ ହେଉଛି ଖାତା ମୂଲ୍ୟାୟନ । ଏଥିରେ ମୋଟ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ହୋଇଛନ୍ତି ନିୟୋଜିତ । ତେବେ ମାଟ୍ରିକ୍ ସହ ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ମଧ୍ୟ ଆରମ୍ଭ ହେବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କରାଯାଇଛି ପୂରା ପ୍ରସ୍ତୁତି । ଚଳିତ ବର୍ଷ ୫ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ଓ ୭ ହଜାର ୮୩୧ ପରୀକ୍ଷାର୍ଥୀ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିଲେ । ତେବେ ଏଥର ଫେବୃଆରୀ ୨୦ ତାରିଖରୁ ଏହି ଦଶମ ପରିକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।
ଚଳିତ ବର୍ଷ ଦଶମ ଖାତା ଦେଖା ପାଇଁ ବୋର୍ଡ ପକ୍ଷରୁ ମୁଖ୍ୟ ପରୀକ୍ଷକ, ଡେପୁଟି ମୁଖ୍ୟ ପରୀକ୍ଷକ ଓ ପରୀକ୍ଷକମାନଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ସେହିପରି ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ଟି ୟୁନିଟ୍ ଏବଂ ସର୍ବାଧିକ ୧୩ଟି ୟୁନିଟ୍ ରହିଛି । ପ୍ରତି ୟୁନିଟରେ ୨୫ଜଣ ଶିକ୍ଷକଙ୍କୁ ଖାତା ଦେଖା ଲାଗି ନିୟୋଜିତ କରାଯାଇଛି । ଏହା ବ୍ୟତୀତ ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସବଜେକ୍ଟିଭ ଖାତା ଦେଖା ପାଇଁ ଗୋଟିଏ ୟୁନିଟରେ ୨୪ ଜଣ ପରୀକ୍ଷକ ରହିବେ । ସେହିପରି ଇଂରାଜୀ, ଗଣିତ, ହିନ୍ଦୀ, ସଂସ୍କୃତ, ଓଡ଼ିଆ ଭାଷା ବିଷୟ ପାଇଁ ପ୍ରତି ୟୁନିଟରେ ୨୦ଜଣ ଲେଖାଏଁ ପରୀକ୍ଷକ ରହିଛନ୍ତି । ତେବେ ୧୪ ଦିନ ଭିତରେ ସବଜେକ୍ଟିଭ୍ ଉତ୍ତର ଗୁଡ଼ିକର ମୂଲ୍ୟାୟନ ସରିବା ନେଇ ସୂଚନା ରହିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ମୋଟ ୫ଲକ୍ଷ ୫୧ହଜାର ୬୧୧ ଜଣ ଛାତ୍ରଛାତ୍ରୀ ନାମ ପଂଜୀକରଣ କରିଛନ୍ତି ।