Sunstar Tv
Manmohan Samal: ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ । ରାଜ୍ୟରେ ବିଜେଡ଼ି- ବିଜେପି ମେଣ୍ଟ ହେବ ନାହିଁ । ରାଜ୍ୟବାସୀ ନିର୍ବାଚନ ନେଇ ନିଷ୍ପତ୍ତି ନେବେ । ଏପରି ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମେଣ୍ଟ ହେବ କି ନାହିଁ ପ୍ରଶ୍ନର ଉତ୍ତରରେ ମନମୋହନ ସାମଲ ଏହା କହିଛନ୍ତି ।
ଗତ କିଛି ଦିନ ଧରି ରାଜ୍ୟରେ ବିଜେଡି- ବିଜେପି ମେଣ୍ଟ ହୋଇ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏପରିକି ବିଜେପି ନେତାମାନେ ତୁହାକୁ ତୁହା ଦିଲ୍ଲୀ ଯାଇ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ ।
ତେବେ ଆଜି ସକାଳେ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି- ବିଜେପି ମେଣ୍ଟ ହେବ ନାହିଁ ବୋଲି ସୂଚନା ଦେଇଥିଲେ ।
ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାର ଅସ୍ମିତାକୁ ନେଇ ଏକାକୀ ନିର୍ବାଚନ ଲଢ଼ିବ ବୋଲି ମନମୋହନ ସାମଲ କହିଛନ୍ତି । ସୂତ୍ରରୁ ପ୍ରକାଶ ଯେ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ଭିତରେ ସହମତି ନ ହେବାରୁ ମେଣ୍ଟ ହେବ ନାହିଁ । କହିରଖୁଛୁ ମେଣ୍ଟ ଚର୍ଚ୍ଚା ଭିତରେ ଏକାଧିକ ଥର ଦିଲ୍ଲୀ ଗସ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ।
ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ବୋଧହୁଏ ନିର୍ଣ୍ଣାୟକ ସ୍ଥିତିରେ ପହଁଚିଛି। ବୁଧବାର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏକ ଗୃରୁତ୍ଵପୂର୍ଣ୍ଣ ବୈଠକ ବସିଥିବା ଜଣାପଡ଼ିଛି।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଲତା ଉଶେଣ୍ଡି, ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ଉପସ୍ଥିତ ଥିଲେ।