SUNSTARBURE: ବର୍ତ୍ତମାନ ରାଜନୀତି ଦୁନିଆରୁ ଆସିଛି ଏକ ବଡ ଖବର । ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ସିଂ ପାଟିଲ। ତାଙ୍କୁ ମହାରାଷ୍ଟ୍ରର ପୁଣେ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ କିଛି ଦିନ ହେବ ଜ୍ୱର ଏବଂ ଛାତି ସଂକ୍ରମଣ ଜନିତ ରୋଗରେ ପୀଡିତ ଥିଲେ । ଫଳରେ ଗତକାଲି ରାତିରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । କିନ୍ତୁ ବର୍ତମାନ ସେ ସୁସ୍ଥ ଅଛନ୍ତି । ଏନେଇ ଆଜି ସେଠାକାର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି । ସେ କହିଛନ୍ତି ପୂର୍ବତନ ରାଷ୍ଟ୍ରପତିଙ୍କୁ ଗତକାଲି ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଜ୍ୱର ସହ ଅନ୍ୟ ଶାରୀରିକ ସମସ୍ୟା ରହିଛି ଏବଂ ଛାତି ସଂକ୍ରମିତ ମଧ୍ୟ ହୋଇଛି। ବର୍ତ୍ତମାନ ତାଙ୍କୁ ଅବଜରଭେସନରେ ରଖାଯାଇଛି।
ତେବେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମହିଳାଙ୍କ ପାଇଁ ଜଣେ ଜ୍ୱଳନ୍ତ ଉଦାହରଣ । ତାଙ୍କ ନା ଯେମିତି କାର୍ଯ୍ୟ ମଧ୍ୟ ଠିକ ସେମିତି । ସେ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ରହିଥିଲେ। ସେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ବ୍ୟତୀତ ସେ ଜଣେ ସୁଦକ୍ଷା ଓକିଲ ମଧ୍ୟ ଥିଲେ । ପ୍ରତିଭା ପାଟିଲ ରାଷ୍ଟ୍ରପତି ହେବ ପୂର୍ବରୁ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ରାଜସ୍ଥାନର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ଲୋକସଭାର ସଦସ୍ୟ ଥିଲେ । ସେ ମାତ୍ର ୨୭ ବର୍ଷ ବୟସରେ ଏହି ରାଜନୀତି ମୈଦାନରେ ପାଦ ଦେଇଥିଲେ । ପ୍ରତିଭା ଦେବୀସିଂ ପାଟିଲ ୧୯୬୨ ମସିହାରେ ଜାଲଗାଓଁ ନିର୍ବାଚନମଣ୍ଡଳୀରୁ ମହାରାଷ୍ଟ୍ରର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ରାଜନୀତିର ସିଡିରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିଚାଲିଲେ ।
ପ୍ରତିଭା ଦେବୀ ସିଂ ପାଟିଲ ଉଭୟ ରାଜ୍ୟସଭା ଓ ଲୋକସଭାରେ ସରକାରୀ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏଥିସହ ସେ କିଛି ବର୍ଷ ଧରି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିଲେ। ତେବେ ଏକ ଦଶନ୍ଧି କାର୍ଯ୍ୟ କରିବା ପରେ ପ୍ରତିଭା ଦେବୀ ସିଂ ପାଟିଲ ରାଜନୀତି କ୍ୟାରିୟରରୁ ଅବସର ନେଇଥିଲେ । ବର୍ତ୍ତମାନ ତାଙ୍କୁ ୮୯ ବର୍ଷ ବୟସ ହୋଇଥିବା ବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।