SUNSTARTV
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ସମସ୍ତ ରାଜନୈତିକ ଦଳ । ଆଗାମୀ ନିର୍ବାଚନରେ ନିଜ ଦଳକୁ ଜିତାଇବା ପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏପରିକି କିଏ କେଉଁ ସ୍ଥାନରୁ ନିର୍ବାଚନ ଲଢିବ ସେଥିପାଇଁ ସରିଲାଣି ପ୍ରାର୍ଥୀ ଘୋଷଣା । କିନ୍ତୁ ଏହାରି ମଧ୍ୟରେ ହରିୟାଣା ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ । ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ବିଜେପି । ତେବେ ଗୋଟିଏ ପରେ ଗୋଟିଏ ହେବି ୱେଟ୍ ନେତା ଦଳ ଛାଡିବା ଏବଂ ନିଜ ପଦରୁ ଇସ୍ତଫା ଦେବା ବର୍ତ୍ତମାନ ରାଜନୀତିର ପାଣିପାଗକୁ ଏକ ରକମ ବଦଳାଇ ଦେଉଛି ।
ମିଳିିଥିବା ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନ ପୂର୍ବରୁ ହରିୟାଣା ରାଜନୀତିରେ ବଡ ଧରଣର ଘଟଣା ଘଟିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ସଞ୍ଜୟ ଭାଟିଆ କିମ୍ବା ନାଏବ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ଚର୍ଚ୍ଚା ଜୋର ଧରିଛି ।
ଆଜି ଚଣ୍ଡିଗଡ଼ ସ୍ଥିତ ହରିୟାଣା ନିବାସରେ ସକାଳ ୧୧ଟା ୩୦ରେ ବିଜେପିର ଅନୁଷ୍ଠିତ ହେବ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ବିଜେପିର ସମସ୍ତ ବିଧାୟକ ଏବଂ ମନ୍ତ୍ରୀ ଯୋଗ ଦେବା ସହ ବିଜେପି ସମର୍ଥିତ ସ୍ୱାଧୀନ ବିଧାୟକମାନେ ମଧ୍ୟ ଏହି ବୈଠକରେ ହେବେ ସାମିଲ । ଏନେଇ ହରିୟାଣାର ବିଜେପି ପ୍ରଭାରୀ ଦାୟିତ୍ୱରେ ଥିବା ବିପ୍ଳବ ଦେବ ମଧ୍ୟ ଚଣ୍ଡିଗଡରେ ପହଞ୍ଚିଛନ୍ତି ।
୨୦୧୯ ନିର୍ବାଚନରେ ୯୦ ଆସନରୁ ବିଜେପି ୪୦ଟି ଆସନ ହାସଲ କରିଥିବା ବେଳେ , କଂଗ୍ରେସ ୩୧ଟି ଆସନ ଏବଂ ଜନନାୟକ ଜନତା ପାର୍ଟି(ଜେଜେପି) ୧୦ଟି ଆସନରେ ବିଜୟ ଲାଭ କରିଥିଲେ । କିନ୍ତୁ ଅଧିକ ଆସନ ହାସଲ କରି ମଧ୍ୟ ବିଜେପି ସରକାର ଗଢିବାକୁ ମ୍ୟାଜିକ ନମ୍ବର ହାସଲ କରିପାରିନଥିଲା । ତେଣୁ ଜେଜେପି ସହ ମେଣ୍ଟ କରି ହରିୟାଣାରେ ସରକାର ଗଢିଥିଲା ବିଜେପି । ତେବେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଏବଂ ଜେଜେପି ମେଣ୍ଟ ସରକାର ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ଏହାକୁ ଦୃଷ୍ଟିରେ ରଖି ବିଜେପି ମନୋହରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି ।ଅପର ପକ୍ଷେ ନଭେମ୍ବର ୨୦୨୪ରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ସଞ୍ଜୟ ଭାଟିଆ କିମ୍ବା ନାଏବ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଥିବା ସୂଚନା ମିଳୁଛି ।