ସବୁ ଅପେକ୍ଷାର ଘଟିଲା ଅନ୍ତ । ସବୁ ଆଲୋଚନା ପ୍ରର୍ଯ୍ୟାଲୋଚନା ଓ ଚର୍ଚ୍ଚାରେ ପୂର୍ଣ୍ଣଛେଦ । ବାପାଙ୍କ ଗୋଟି ଚାଳନା ହେଲା ସଫଳ । ବିଜେଡି ଆଡକୁ ଗଡିଲା ବାପାଙ୍କ ରାଜନୀତି ରଥ । ନିଜେ ନିର୍ବାଚନରୁ ଦୂରେଇ ପୁଅଙ୍କୁ ଦେଲେ ରାଜ୍ୟ ରାଜନୀତିରେ ସୁଯୋଗ । ହଁ ଆଜ୍ଞା ଆମେ କହୁଛୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କ କଥା । ଯିଏକି ଆଜି ବିଧିବଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଆଜି ବିଜେଡି ହାତ ଧରିଛନ୍ତି । ଆଜି ନବୀନ ନିବାସରେ ମିଶ୍ରଣ ପର୍ବ ଥିବା ବେଳେ ଏଥିରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ବିଜେଡି ନେତା, ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିଛନ୍ତି ଅରବିନ୍ଦ । ବିଜେଡିରେ ସାମିଲ ହେବା ପରେ ଅରବିନ୍ଦ କହିଛନ୍ତି, ଆଜି ମୋ ପାଇଁ ବହୁତ ଶୁଭ ଦିନ କରଣ ମୁଁ ଆଜି ବିଜେଡିରେ ଯୋଗ ଦେଇଛି । ତେବେ ଏଭଳି ନିଷ୍ପତ୍ତି ନେବା ପଛର କାରଣ ମୁଁ ୨୦୧୯ ପରଠାରୁ ପାଟକୁରାରେ ଅନେକ ସମୟରେ ବୁଲୁଛି ମୋତେ ଲାଗିଲା ମୋତେ ଏକ ଏଭଳି ମଞ୍ଚ ଦରକାର ଯେଉଁଠି ମୁଁ ପାଟକୁରାର ବିକାଶକୁ ଆଗକୁ ନେଇପାରିବି । ତେଣୁ ମୁଁ ବିଜେଡିରେ ଯୋଗ ଦେଇଛି । ଏହି ନିଷ୍ପତ୍ତି ନେବା ପୂର୍ବରୁ ପାଟକୁରାବାସୀଙ୍କ ସହ ଆଲୋଚନା କରିଛି ଓ ପରାମର୍ଶ ନେଇଛି । ବାପାଙ୍କ ଆଶୀର୍ବାଦ ନେବା ସହ ପାଟକୁରାର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେଲି ।
ତେବେ ମତେ ଏଭଳି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ । ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ ତାହାକୁ ସୁଚାରୁରୂପେ ତୁଲାଇବି ବୋଲି କହିଛନ୍ତି ଅରବିନ୍ଦ । ୨୦୧୯ ନିର୍ବାଚନ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ । ତେବେ ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ନିର୍ବାଚନ ନିକଟତର ହେଉଥିବା ବେଳେ ଅରବିନ୍ଦଙ୍କ ଏଭଳି ନିଷ୍ପତ୍ତି ରାଜ୍ୟ ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଆଣିପାରେ ବୋଲି ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।