SUNSTARTV
SUNSTARTVBURE:କେତେବେଳେ ସେ ଝଡର ଇଗଲ ତ ଆଉ କେତେବେଳେ ସେ ଭୂମିପୁତ୍ର । ପୁଣି କେତେବେଳ ସେ ସାଜିଥିଲେ ଟଲ୍ ମ୍ୟାନ । ଆଜି ସେହି ମହାନ ବ୍ୟକ୍ତିତ୍ୱ ଓଡିଶାର ଗର୍ବ ଗୌରବ ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତି । ବିଜୁବାବୁ ଯିଏ ଥିଲେ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ । ଓଡ଼ିଶାର ଗର୍ବ, ଗରିମା ଓ ସ୍ବାଭିମାନର ସ୍ବାକ୍ଷର ଆଙ୍କିଥିଲେ ପ୍ରବାଦ ପୁରୁଷ । ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଅନେକ ବିଶେଷଣରେ ଭୂଷିତ ବିଜୁବାବୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ଓଡିଶା ମାଟିରେ ଜନ୍ମଗ୍ରହଣ କରି ଧନ୍ୟ କରିଥିଲେ ଏହି ମାଟିମାକୁ ।
ବିଜୁବାବୁଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ତାଙ୍କୁ ଦେଖିଲେ ଲାଗୁଥିଲା ସତେ ଯେମିତି ତାଙ୍କ ଜୀବନକୁ ସେ ଉତ୍ସର୍ଗୀ କରିଛନ୍ତି ଏ ମାଟି ମା ପାଇଁ । ଦୁର୍ଦ୍ଧର୍ଷ ପାଇଲଟ୍, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା,ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ଏହି ସର୍ବମାନ୍ୟ ନେତା । ଗଞ୍ଜାମ ଜିଲ୍ଲା ଜି- ନୂଆଗାଁରେ ଜନ୍ମ ଗ୍ରହଣ କରିଥିବା ବିଜୁବାବୁ କଲେଜ ସମୟରୁ ହିଁ ପାଇଲଟ ହେବାକୁ ମନରେ ରଖିଥିଲେ ଅଦମ୍ୟ ଇଚ୍ଛା । ସେଥିପାଇଁ ସେ ବିମାନ ଚାଳନାରେ ନେଇଥିଲେ ତାଲିମ୍ । ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ଥିଲା ତାଙ୍କଠାରେ । ୧୯୪୬ରେ ଜବାହରଲାଲ୍ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆ ସ୍ବତନ୍ତ୍ରତା ସଂଗ୍ରାମର ଦୁଇ ତୁଙ୍ଗ ନେତାଙ୍କୁ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଡଚ୍ମାନଙ୍କ କବଳରୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ। ଫଳରେ ବିଜୁବାବୁଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା। ସେ ୧୯୬୧ରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ବ ନେଇ ୧୪୦ ଆସନରୁ ୮୨ଟିରେ ବିଜୟ ହାସଲ କରିଥିଲେ। ଏହି ସମୟରେ ବିଜୁବାବୁ ମାତ୍ର ୨ବର୍ଷ ୩ ମାସ ପାଇଁ ହୋଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ । କିନ୍ତୁ ମାତୃଭୂମି ପାଇଁ ଥିବା ତାଙ୍କର ଭଲ ପାଇବା ଏବଂ ସାଧାରଣ ଜନତାଙ୍କ ପାଇଁ କିଛି ଭିନ୍ନ କରିବାର ଇଚ୍ଛା ଶକ୍ତି ତାଙ୍କୁ ଦେଇଥିଲା ଅଦମ୍ୟ ସାହାସ । ଫଳରେ ଏହି ସ୍ବଳ୍ପ ସମୟ ମଧ୍ୟରେ ରାଜ୍ୟ ବିକାଶର ଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ପାରାଦୀପ ବନ୍ଦର, ଏକ୍ସପ୍ରେସ୍ ହାଇୱେ , ମିଗ୍ ବିମାନ କାରଖାନା, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ, ଆଦି ଅନେକ କୀର୍ତ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା।
୧୯୯୦ରେ ତାଙ୍କ ନେତୃତ୍ବରେ ଗଠିତ ଜନତାଦଳ ଓଡ଼ିଶା ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ବିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୭ ଏପ୍ରିଲ୍ ୧୯୯୭ରେ ଏହି ମହାନ ଜନନେତାଙ୍କର ମହାପ୍ରୟାଣ ଘଟିଥିଲା। ସେହି ମହାନ ପୁରୁଷଙ୍କର ଆଜି ହେଉଛି ୧୦୮ ତମ ଜନ୍ମ ଜୟନ୍ତି । ତାଙ୍କର ଏହି ଜନ୍ମ ଜୟନ୍ତି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ କାଯ୍ୟକ୍ରମ ରହିଛି । ସେହିପରି ବିଜୁ ଜନତା ଦଳ ପକ୍ଷରୁ ଆଜି ସକାଳ ୮.୩୦ ସମୟରେ ଶଙ୍ଖ ଭବନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦିପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।