SunstarTV
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଏକ୍ସାଇଜ୍ ପଲିସି ପ୍ରସଙ୍ଗରେ ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି। ଆମ୍ ଆଦମୀ ପାର୍ଟି (ଆପ ) ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଡାକରାକୁ ବେଆଇନ ବୋଲି କହିଛି ଏବଂ କହିଛି ଯେ ଇଡି ଡାକିବା ବେଆଇନ କିନ୍ତୁ ଅରବିନ୍ଦ କେଜ୍ରିୱାଲ ଇଡି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ।
ଏଥିପାଇଁ ମାର୍ଚ୍ଚ ୧୨ପରେ ଇଡି ଏକ ତାରିଖ ଦେବାକୁ ସେ କହିଛନ୍ତି। ଏହା ସହିତ ଉତ୍ତର ଦେବା ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏକ ସର୍ତ୍ତ ରଖିଛନ୍ତି। କୁହାଯାଇଛି ଯେ ଆପ ମୁଖ୍ୟ କେଜ୍ରିୱାଲ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଡିର ପ୍ରଶ୍ନର ଉତ୍ତର ଦେବେ ।
ଏକ୍ସାଇଜ୍ ପଲିସି ମାମଲା ସହ ଜଡିତ ଇଡିର ସର୍ବଶେଷ ସମନ ଉପରେ ପ୍ରତିକ୍ରିୟା ଦେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ମାର୍ଚ୍ଚ ୧୨ ପରେ ଭିଡିଓ କନଫରେନ୍ସ ମାଧ୍ୟମରେ ସେ ଏଜେନ୍ସିରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି । ଇଡି ପୂର୍ବରୁ ମଧ୍ୟ କେଜ୍ରିୱାଲଙ୍କୁ ଅନେକ ସମନ ଜାରି କରିଥିଲେ କିନ୍ତୁ ସେ ଏହି ଡାକରାକୁ ବେଆଇନ ବୋଲି କହିଥିଲେ ଏବଂ ସେ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହୋଇନଥିଲେ। ସେ ଇଡିଙ୍କୁ କହିଥିଲେ ଯେ ଡକାଇବା ପୂର୍ବରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହି ମାମଲାରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।
ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଡାକରା ବେଆଇନ ତଥାପି ସେ ଅନୁସନ୍ଧାନକାରୀ ସଂସ୍ଥାର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ। ମାର୍ଚ୍ଚ ୧୬ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ କୋର୍ଟରେ ହାଜର ହେବାକୁ ପଡିବ। ଡାକରାକୁ ଅଣଦେଖା କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦେଇଥିବା ଅଭିଯୋଗରେ କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ କହିଛନ୍ତି।
ନିକଟରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଅଷ୍ଟମ ସମନ ପଠାଇଥିଲା। ଏହି ସମନ ଅନୁଯାୟୀ କେଜ୍ରିୱାଲ ମାର୍ଚ୍ଚ ୪ ରେ ଅର୍ଥାତ ସୋମବାର ହାଜର ହେବାକୁ କୁହାଯାଇଥିଲା । କେଜ୍ରିୱାଲ ମଧ୍ୟ ତାଙ୍କ ଉତ୍ତର ମାଧ୍ୟମରେ ଗୋଟିଏ କଥା ସ୍ପଷ୍ଟ କରିଛନ୍ତି ଯେ ସେ ଆଜି ଇଡି ଆଗରେ ହାଜର ହେବେ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଇଡି କେଜ୍ରିୱାଲଙ୍କୁ ମୋଟ ୮ଟି ସମନ ପଠାଇଛନ୍ତି ଏବଂ ସେ ଥରେ ମଧ୍ୟ ଇଡି ଆଗରେ ହାଜର ହୋଇନାହାଁନ୍ତି। ତେବେ ଏହି ମାମଲାରେ ଚାଲିଥିବା ସିବିଆଇ ତଦନ୍ତ ପାଇଁ ସେ ସିବିଆଇରେ ହାଜର ହୋଇଛନ୍ତି।
ଆପ କ୍ରମାଗତ ଭାବରେ ଦାବି କରୁଛି ଯେ ବିଜେପିଙ୍କ ନିର୍ଦ୍ଦେଶରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବାକୁ ଚାହୁଁଛି। ଆପ ନେତାମାନେ ନିୟମିତ ସାମ୍ବାଦିକ ସମ୍ମିଳନୀ କରି ଅରବିନ୍ଦ କେଜ୍ରିୱାଲଙ୍କୁ କିଛି ଦିନ ମଧ୍ୟରେ ଗିରଫ କରାଯିବ ବୋଲି ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆ ଏବଂ ଆପ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ଗିରଫ କରାଯାଇଛି।