SUNSTARTV
ଭୁବନେଶ୍ୱର: ଓଡିଶାବାସୀଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ଦେଉଛନ୍ତି ରାଜ୍ୟ ସରକାର । କେତେବେଳେ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ଦେଲେଣି ତ ଆଉ କେତେବେଳେ ଦେଲେଣି ମ୍ୟାଜିକ କାର୍ଡ । ପୁଣି କେତେବେଳେ ଶିକ୍ଷକ ଓ ଅଙ୍ଗନୱାଡିକର୍ମୀଙ୍କ ଦରମା ବୃଦ୍ଧି କଲେଣି ତ କେତେବେଳେ ଦେଲେଣି ନିଯୁକ୍ତି ପତ୍ର ଏହିପରି ଗତ କିଛି ଦିନ ହେବ ରାଜ୍ୟବାସୀଙ୍କୁ ଖୁସି କରାଉଛନ୍ତି ଓଡିଶା ମୁଖିଆ ।ତେବେ ଏହାରି ଭିତରେ ଓଡିଶାବାସୀଙ୍କୁ ଆଉ ଏକ ସୁନ୍ଦର ଭେଟି ଦେବାକୁ ଯାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୬ ତାରିଖରେ ନବୀନ କାର୍ଡର ହେବ ଶୁଭାରମ୍ଭ । ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ ।ତେବେ ଏହା ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବ । ଏହାପରେ ଧୀରେ ଧୀରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏଥିରେ ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ । ବିଏସକେୱାଇର ଏହି ତୃତୀୟ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଲୋକଙ୍କୁ ଜଟିଳ ରୋଗ ପାଇଁ ମିଳିବ ମାଗଣା ଚିକିତ୍ସା । ସେହିଦିନ ନବୀନ ମ୍ୟାଜିକ କାର୍ଡ ଓ୍ବେବସାଇଟରେ ପଞ୍ଜୀକରଣ ମଧ୍ୟ ଆରମ୍ଭ ହେବ ।
ରାଜ୍ୟରେ ଅର୍ଥ ଅଭାବରୁ ଅନେକ ଲୋକଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯାଉଛି । ରାଜ୍ୟରେ ଯେପରି ଏହି ଅର୍ଥ ଅଭାବରୁ କାହର ଜୀବନ ନଯାଉ କିମ୍ବା କେହି ଯେମିତି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ । ଏହା ପୂର୍ବରୁ ଗ୍ରାମଞ୍ଚଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି । ଆସନ୍ତା ୬ ତାରିଖରେ ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଗାଁ ଗହଳିର ଲୋକଙ୍କୁ ଏହି ପର୍ଯ୍ୟାୟରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବ୍ୟତୀତ ଗାଁରେ ବିଏସକେୱାଇରୁ ବଞ୍ଚିତ ସବୁ ପରିବାର ବିଏସକେଓ୍ବାଇ ନବୀନ କାର୍ଡ ପାଇବେ । ସେମାନେ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ମାଗଣା ଚିକିତ୍ସା ସୁବିଧା ପାଇବେ । ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ସାମିଲ ହେବାକୁ ଯାଉଛନ୍ତି । ଯାହାକି ରାଜ୍ୟ ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ।
ଏହି ଯୋଜନାରେ ପ୍ରତିମାସର ୪୫ ଲକ୍ଷରୁ ଅଧିକ ଲୋକଙ୍କୁ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । ଏଥିସହ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ୫ ବର୍ଷରେ ବିଏସକେଓ୍ବାଇରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ।