SunstarTV
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ହେଉଛି ଚତୁର୍ଥ ଦିନ । ଯେଉଁ ୪ ଦିନିଆ ଗସ୍ତର କାର୍ଯ୍ୟକ୍ରମ ରହିଥିଲା ଆଜିର ଶେଷ ଦିନରେ ମହାମହିମଙ୍କ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି । ଯାହା ସୂଚନା ରହିଛି ମହାମହିମ ସେଠାରେ ସନ୍ଥକବି ଭୀମ ଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ । ସମ୍ବଲପୁର ମିନି ଷ୍ଟାଡିୟମରେ ମହିମା ସଂପ୍ରଦାୟର ଅନୁଗାମୀକୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ଏ ନେଇ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିର ତଦାରଖ ହୋଇଛି। ଆରଡିସି ଶ୍ରୀକାନ୍ତ ପୃଷ୍ଟି, ସମ୍ବଲପୁର ଜିଲ୍ଲାପାଳ ଅନୀଲ ଅଗ୍ରୱାଲ, ଏସପି ମୁକେଶ ଭାମୁଙ୍କ ସମେତ ବିଭିନ୍ନ ପ୍ରଶାସନ ଅଧିକାରୀ ସନ୍ଥକବି ଭୀମଭୋଇଙ୍କ ସ୍ମୃତି ପିଠ କନ୍ଧରା ଗ୍ରାମ, ପ୍ରାପ୍ତି ପିଠ ମଧୁପୁର ଗ୍ରାମ, ଦୀକ୍ଷା ପିଠ କାଙ୍କଣପଡା ଗ୍ରାମ ଏବଂ ରେଢ଼ାଖୋଲ ମିନି ଷ୍ଟାଡିୟମ ବୁଲି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।
କାର୍ଯ୍ୟକ୍ରମ ରେ ୮ଜଣ ଏସ୍ ପି ଓ କମାଣ୍ଡାଣ୍ଡ ପାହ୍ୟାର ଅଧିକାରୀ ନିୟୋଜିତ ରହିବେ । ୫ ଜଣ ଅତିରିକ୍ତ ଏସ୍ ପି, ୨୩ଜଣ ଡିଏସ୍ପି, ୬୨ଜଣ ଥାନାଧୁକାରୀ, ୧୭୩ଜଣ ଏସ୍ ଆଇ ଓ ଏଏସ୍ ଆଇ, ସେହିପରି ୩୦ ପ୍ଲାଟୁନ୍ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ।
ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁସାରେ ଆଜି ସକାଳ ୧୦ ଟା ୫୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚି ୧୧ଟା ୪୫ ମିନିଟରେ ରେଢ଼ାଖୋଲ କଦଳୀଗଡ ହାଇସ୍କୁଲ ପଡ଼ିଆରେ ପହଞ୍ଚିବେ ରାଷ୍ଟ୍ରପତି। ୧୨ଟା ୧୦ମିନିଟରେ ସନ୍ଥ କବି ଭୀମ ଭୋଇଙ୍କ ଜନ୍ମସ୍ଥଳୀ ମଧୁପୁର ଯାଇ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଳ ଅର୍ପଣ କରିବେ । ଏହାପରେ ପୁଣି ୧୨ ଟା ୪୫ରେ କନ୍ଧରାରେ ଥିବା ଭୀମଭୋଇଙ୍କ ଦିବ୍ୟ ଜ୍ୟୋତି ଦର୍ଶନ ଓ ଜ୍ଞାନ ପ୍ରାପ୍ତି ପୀଠକୁ ଯିବେ ମହାମହିମ ।
ଏହାପରେ ପୁଣି ରେଢ଼ାଖୋଲରେ ଥିବା କୁକୁଡ଼ା ବାହାଲିରେ ଥିବା ଭୀମ ଭୋଇଙ୍କ ଆଶ୍ରମକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ରେଢ଼ାଖୋଲ ମିନି ଷ୍ଟାଡିୟମରେ ମହିମା ଧର୍ମାବଲମ୍ବୀ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ କଦଳୀଗଡ ପୁଣି ଆସି ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୨୮ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କର ଏହି ଗସ୍ତରେ ସେ ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।