SunstarTV
ବଳାତ୍କାର ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ଧାର୍ମିକ ବାବା ଆଶାରାମଙ୍କୁ ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୧ ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଚାହୁଁଥିବା ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଥିଲେ। ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ଦୀପନକର ଦତ୍ତଙ୍କ ବେଞ୍ଚ ଙ୍କ ଦ୍ୱାରା ଏହି ପିଟିସନର ଶୁଣାଣି ହୋଇଥିଲା। ବରିଷ୍ଠ ଓକିଲ ମୁକୁଲ ରୋହତଗି ଆଶାରାମଙ୍କ ପକ୍ଷରୁ କୋର୍ଟରେ ତାଙ୍କ ମାମଲା ଉପସ୍ଥାପନ କରିଥିଲେ। ଅସୁସ୍ଥତା ଦର୍ଶାଇ ସେ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ।
ସୂଚନା ମୁତାବକ ରୋହତଗି କହିଛନ୍ତି ଯେ ଆଶାରାମଙ୍କର ହୃଦଘାତ ହୋଇଥିଲା ଏବଂ ସେ ହାର୍ଟ ସର୍ଜରୀ ପାଇଁ କୌଣସି ବିପଦକୁ ମୁଣ୍ଡେଇବାକୁ ଚାହୁଁ ନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେଲରେ ଥିବାବେଳେ ଆଶାରାମ ଚିକିତ୍ସା କରିବାକୁ ପ୍ରସ୍ତୁତ, କିନ୍ତୁ ତାଙ୍କ ଦଣ୍ଡକୁ ସ୍ଥଗିତ ରଖାଯିବା ଉଚିତ୍। ତେବେ ସୁପ୍ରିମକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ବିଚାରପତିମାନେ ଆଶାରାମଙ୍କ ଓକିଲମାନଙ୍କୁ ରିଲିଫ ପାଇଁ ରାଜସ୍ଥାନ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ।
ରୋହତଗି କହିଛନ୍ତି ଯେ ପୋଲିସ ହେପାଜତରେ ଥିବାବେଳେ ଆଶାରାମ ମହାରାଷ୍ଟ୍ରର ଖୋପୋଲିର ମାଧବବାଗ ହାର୍ଟ ହସ୍ପିଟାଲରେ ଚିକିତ୍ସା କରିପାରିବେ। କିନ୍ତୁ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସେଠାରେ ଏହାକୁ ଆଇନ ଅନୁଯାୟୀ ବିବେଚନା କରାଯିବ। ଜଷ୍ଟିସ ଖନ୍ନା ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆଶାରାମ ଚାଲିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଏବଂ ହାଇକୋର୍ଟରେ ତାଙ୍କ ଆବେଦନ ଶୁଣାଣିରେ ଜାଣିଶୁଣି ବିଳମ୍ବ କରିଛନ୍ତି ।
ଘଟଣା କଣ?
୨୦୧୩ରେ ରାଜସ୍ଥାନରେ ଥିବା ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ କ୍ରମେ ବର୍ତ୍ତମାନ ୮୧ ବର୍ଷ ବୟସ୍କ ଆଶାରାମ ଯୋଧପୁର ଜେଲରେ ରହିଛନ୍ତି । ଏହି ମାମଲାରେ ୨୦୧୮ ଏପ୍ରିଲ ୨୫ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଯୋଧପୁର କୋର୍ଟ ।ଆଇପିସିର ଧାରା ୩୪୨, ୩୫୪ଏ, ୩୭୦(୪), ୩୭୬, ୫୦୬ ଓ ୧୨୦(ବି) ଅନୁଯାୟୀ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି।
ଏହା ସହ ଅନ୍ୟ ୨ ଶିଷ୍ୟଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ ।