Sunstar Tv
କଟକ : ନିଜେ ଚାଲିଗଲେ କେଉଁ ଅଜଣା ରାଇଜେ, କିନ୍ତୁ ନିଜ ବଦାନ୍ୟତାରେ ଅମର ହୋଇ ରହିଗଲେ । ଜୀବନର ଦୋଛକିରେ ପହଂଚି ମୃତ୍ୟୁ ପାଠ ଦେଇ ଆଗକୁ ବଢିଗଲେ ସତ ହେଲେ ତାଙ୍କ ସାଇଟ ସ୍ମୃତିରେ ଜୀବନ୍ତ ହେବ ଦୁଇ ନୂଆ ଜୀବନ । ଅଙ୍ଗଦାନ ଏପରି ଏକ ଦାନ ଯାହା ଶୁଖିଲା ମରୁଭୂମିରେ ବୃକ୍ଷଟିଏ କଅଁଳିବା ସହ ସମାନ । ମରିଯାଉଥିବା ଅନେକ ଆଶାକୁ ଦିଏ ଏକ ନୂଆ ଉଦ୍ଦୀପନା। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି, କଟକ ଏସସିବି ମେଡିକାଲ୍ରେ ଛୋଟପିଲାଟିଏ ଓମଶିବୁ ହେଲେ ସାନ ସିନା ଦାନ ତା ମହାନ। ଓମ ଶିବୁ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋର୍ଟ ଗ୍ରାମର ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ର ହେଉଛି । ଏହି କୋମଳ ବୟସରେ ମଧ୍ୟ ସରିଗଲା ତା’ର ଆୟୁଷ। ଦୀର୍ଘ ଦେଢ଼ମାସ ଧରି ପୀଡିତ ଥିଲା ସେ ବ୍ରେନ ଟ୍ୟୁମରରେ ଏବଂ ଏସସିବି ମେଡିକାଲରେଚିକିତ୍ସାଧୀନ ଥିଲା। ଗତକାଲି ତାଙ୍କର ବ୍ରେନ ଡେଡ଼ ହୋଇଯିବାରୁ ସେ ମୃତ୍ୟୁବରଣ କରିଛନ୍ତି । ପୁଅ କୁ ହରାଇ ବାପା ମା ବନ୍ଧୁ ପରିଜନ ଦୁଃଖରେ ଭାଙ୍ଗିପଡିଲେ । ତଥାପି ଏକ ସଠିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଓମ ଶିବୁ ତ ଚାଲିଗଲା ହେଲେ ତାର ଅଙ୍ଗଦାନରେ ହୋଇପାରିବ ଆଉ କାହାର ଜୀବନ ରକ୍ଷା। ତେଣୁ ତାର ଦୁଇଟି କିଡ୍ନୀ ଦାନ କରାଯାଇଛି । ଆଜି ମୂତ୍ରରୋଗ ଶଲ୍ୟ ଚିକିତ୍ସା ଓ ବୃକକ ପ୍ରତ୍ୟାରୋପଣ ବିଭାଗରେ ତାଙ୍କର ଦୁଇଟି କିଡ଼ନୀକୁ ସଫଳତାର ସହ ବାହାର କରି ଅନ୍ୟ ଦୁଇ ବ୍ୟକ୍ତିଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଛି । ଗୋଟିଏ କଟକ ଏସସିବି ଓ ଅନ୍ୟଟି ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ପଠାଇଦିଆଯାଇଛି। ତେବେ ଓମ ଶିବୁଙ୍କୁ ସମ୍ମାନର ସହ ବିଦାୟ ଦେବା ସହ ତାଙ୍କୁ ରାଷ୍ଟ୍ରୀୟ ସାମ୍ମନାରେ ସମ୍ମନିତ କରିବା ନିମନ୍ତେ ଏସସିବି ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।