ଭୁବନେଶ୍ୱର(SUNSTRATV): ରାତି ପାହିଲେ ମିଳିବ ତାକୁ ନୂଆ ନାଁ । ବଦଳିଯିବ ତାର ରୂପରେଖ ତାର ଚର୍ତୁପାଶ୍ୱର୍ । କାଇଁ କେଉଁ କାଳରୁ ମିଳିଥିବା ପରିଚୟଟି ସବୁଦିନ ପାଇଁ ହଜିଯିବ । ଜନଗହଳିର ମୁକସାଥୀ ଥିବା ବରମ୍ୁଣ୍ଡା ବସ ଷ୍ଟାଣ୍ଡଟି ରାତି ପାହିଲେ ସମ୍ପୂର୍ଣ୍ଣ ନିରବିଯିବ । ଯିଏ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ହାତ ଠାରି ଡାକି ନିଏ ସହର ଭିତରକୁ । ବରମୁଣ୍ଡା ବସ୍ ଷ୍ଟାଣ୍ଡ ଭୁବନେଶ୍ୱରର ମେରୁଦଣ୍ଡ, ସହରର ପରିଚୟ, ପ୍ରତିକ୍ଷାର ପ୍ରେକ୍ଷାଳୟ, ଯାତ୍ରୀଙ୍କ ଗନ୍ତବ୍ୟସ୍ଥଳ । ସେ ଅନେକଙ୍କ ନୂଆ ଠିକଣା, ଯାତ୍ରୀଙ୍କ ଯାତ୍ରାର ଷ୍ଟପେଜ ଆଉ ମାଳ ମାଳ ମଣିଷ ଏବଂ ବ୍ୟସ୍ତବହୁଳ ବସର ମୁକସାଖି । ବରମୁଣ୍ଡା କେତେ କଥା, କେତେ କାହାଣୀ, କେତେ ଘଟଣା କେତେ ଦୁର୍ଘଟଣା ସବୁଥିର ସ୍ରଷ୍ଟା, ସୃଷ୍ଟି ଓ ସାଖି । ବର୍ଷା ହେଉ କି ଖରା ହେଉ ପଛେ ହାଡ ଭଙ୍ଗା ଶୀତ ସବୁକୁ ସେ ହସି ହସି ସହିଛି । କେତେ ଅଭିଯୋଗ କେତେ ଅଭିମାନ କେତେ ଆବେଗ ଆଉ କେତେ ଆତଙ୍କର ମୁକ ସାଖି ସାଜିଛି ଏହି ବରମୁଣ୍ଡା ବସଷ୍ଟାଡ । ବରମୁଣ୍ଡାରୁ ବାରିପଦା ଭଦ୍ରକରୁ ଭୁବନେଶ୍ୱରରୁ ସବୁ ଯାତ୍ରୀଙ୍କୁ କୋଳେଇ ନେଉଥିବା ଏହି ବସଷ୍ଟାଣ୍ଡ କିନ୍ତୁ ରାତି ପାହିଲେ ବଦଳିଯିବ । ସମୟକୁ ଲାଞ୍ଚ ଦେଇ ବସ ବସ ମଧ୍ୟରେ ଚାଲୁଥିବା ପ୍ରତିଯୋଗିତା ସବୁଦିନ ସମାପ୍ତ ହୋଇଯିବ । ଆଉ କେଉଁ ବସ୍ କଣ୍ଡକ୍ଟରଙ୍କ ମୁହଁରୁ ଶୁଣିବାକୁ ମିଳିବନି ବରମୁଣ୍ଡା ବରମୁଣ୍ଡାର ସେହି ନିଆରା ଡାକ । ସେହି ଜାଗା ଥିବ ସେହି ଯାତ୍ରୀ ଥିବେ କିନ୍ତୁ ବସଷ୍ଟାର ପରିଚୟ ଅଲଗା ଥିବ । ବରମୁଣ୍ଡା ବସ ଷ୍ଟାଣ୍ଡ ବଦଳରେ ଥିବ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିିନାଲ ।
ଆସନ୍ତା କାଲି ଅର୍ତାତ୍ ମାର୍ଚ୍ଚ ୧ ତାରିଖରେ ବରମୁଣ୍ଡା ବସ ଷ୍ଟାଣ୍ଡ ବଦଳରେ ଲୋକାର୍ପଣ ହେବ ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍ ଟର୍ମିନାଲ । ଏନେଇ ବିଡିଏ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏହି ବସ ଟର୍ମିିନାଲର ଲୋକର୍ପଣ କରିବେ ମାନବ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍ ଟର୍ମିନାଲ ଲୋକାର୍ପଣ ହେବା ପରେ ଯାତ୍ରୀଙ୍କୁ ଏଠାରେ ବିମାନ ବନ୍ଦର ଭଳି ଅନୁଭୂତି ମିଳିବ। କୋଣ ଅନୁକୋଣରେ ଦେଖିବାକୁ ମିଳିବ ହାଇଟେକ୍ ବ୍ୟବସ୍ଥା । ଏହି ନୂଆ ବସ ଟର୍ମିନାଲରେ ଫୁଡ୍ କୋର୍ଟ ସହ ବୈଦ୍ୟୁତିକ ଶିଡ଼ି, ଲିଫ୍ଟ ଲଗାଯାଇଛି। ବିଏସ୍ବିଟିର କୋଠାରେ ଲେଖାଯାଇଥିବା ‘ଭୁବନେଶ୍ୱର’ ସାଙ୍ଗକୁ ବସ ଚିହ୍ନ ଖୁବ୍ ଆକର୍ଷିତ ଲାଗୁଛି।
ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲରେ ଆଖି ସାମ୍ନାରେ ଅତ୍ୟାଧୁନିକ ଏଲ୍ଇଡି ସ୍କ୍ରିନରେ ବସ୍ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ। ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସ୍ର ସମସ୍ତ ବିବରଣୀ ଏହି ଏଲ୍ଇଡି ସ୍କ୍ରିନରେ ପ୍ରଦାନ କରାଯିବ। ଲିଫ୍ଟ, ଏସ୍କାଲେଟରରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯା’ଆସ କରିହେବ। ଶୀତତାପ ନିୟନ୍ତ୍ରିତ କୋଠରିରେ ଆରାମ ମିଳିବ। ଏଣିକି ରାଜ୍ୟବାସୀ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଏପରି ସୁବିଧା ପାଇବେ ବୋଲି ବିଡିଏ ପକ୍ଷରୁ ପ୍ରକାଶ ପାଇଛି। ଗୋଟିଏ ଛାତ ତଳେ ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ୍, ଏଟିଏମ୍, ଆହାର କେନ୍ଦ୍ର ଭଳି ସେବା ମିଳିବ।