SunstarTV
ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ। ଆମ୍ ଆଦମୀ ପାର୍ଟି ଇଡିର ସପ୍ତମ ସମନ ଉପରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସୋମବାର ଇଡି କାର୍ଯ୍ୟାଳୟକୁ ଯିବେ ନାହିଁ। କାରଣ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି। ମାର୍ଚ୍ଚ ୧୬ ରେ ଯାହାର ଶୁଣାଣି ହେବ। ଆପ ଆହୁରି ମଧ୍ୟ କହିଛି ଯେ ପ୍ରତିଦିନ ସମନ ପଠାଇବା ପରିବର୍ତ୍ତେ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ। ମୋଦୀ ସରକାର ଆମ ଉପରେ ଏହିପରି ଚାପ ପକାଇବା ଉଚିତ୍ ନୁହେଁ, ଏହା ସହ ଯେତେ ଚାହିଁଲେ ମଧ୍ୟ ଇଣ୍ଡିଆ ମେଣ୍ଟ ଭାଙ୍ଗିବୁ ନାହିଁ ବୋଲି କହି ଦେଇଛନ୍ତି ।
ସୂଚନା ମୁତାବକ ଫେବୃଆରୀ ୨୨ରେ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସପ୍ତମ ସମନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆସିଥିଲା । ଆଉ ତାଙ୍କୁ ସୋମବାର, ଅର୍ଥାତ ଆଜି ଫେବୃଆରୀ ୨୬ ରେ ହାଜର ହେବାକୁ କହିଥିଲେ। ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାତୋଟି ସମନ ଜାରି କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେ ଦିଲ୍ଲୀର ମଦ ଦୁର୍ନୀତିର ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟଙ୍କ ନିକଟରେ ହାଜର ହୋଇନାହାଁନ୍ତି।
ମିଳିଥିବା ସୂଚନା ଅନୁସାରେ ଏହାପୂର୍ବରୁ ଫେବୃଆରୀ ୧୪ ରେ ଷଷ୍ଠ ସମନ ଜାରି କରାଯାଇଥିଲା ଯାହା ତାଙ୍କୁ ଫେବୃଆରୀ ୧୯ ରେ ହାଜର ହେବାକୁ କହିଥିଲେ। କିନ୍ତୁ କେଜ୍ରିୱାଲ ସେହି ସମନ ଉପରେ ହାଜର ହୋଇନଥିଲେ। ସେ କହିଥିଲେ ଯେ ଏହି ମାମଲା କୋର୍ଟରେ ଜାରି ରହିଛି। ତେଣୁ କୋର୍ଟଙ୍କ ନିଷ୍ପତ୍ତିକୁ ଇଡି ଅପେକ୍ଷା କରିବା ଉଚିତ୍।
ମାର୍ଚ୍ଚ ୧୬ ରେ ସିଏମ କେଜ୍ରିୱାଲ କୋର୍ଟରେ ହାଜର ହେବେ:
ଫେବୃଆରୀ ୧୭ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭିଡିଓ କାନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ମାର୍ଚ୍ଚରେ ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହେବା ପରେ ସେ ନିଜେ ଫିଜିକାଲି ହାଜର ହେବେ ବୋଲି କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହା ପରେ କୋର୍ଟ ଏହି ନିଶ୍ଚିତତାକୁ ଗ୍ରହଣ କରି ମାର୍ଚ୍ଚ ୧୬ ପାଇଁ ଶୁଣାଣି ସ୍ଥିର କରିଥିଲେ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତାଙ୍କ ବିରୋଧରେ ଜାରି କରାଯାଇଥିବା ସମନକୁ ପାଳନ ନକରିବାରୁ କୋର୍ଟ ତାଙ୍କୁ ଡକାଇଥିଥିବା ସୂଚନା ମିଳୁଛି ।
ସୂଚନା ମୁତାବକ ଆପ ନେତାଙ୍କୁ ମଦ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ହାଜର ହେବାପାଇଁ ନୋଟିସ ଜାରି କରାଯାଉଛି ।କିନ୍ତୁ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ ବୋଲି ସିଧା ସଳଖ ସୂଚନା ଦେଇ ଦେଇଛନ୍ତି ।