Sunstar Tv
ସ୍ୱଚ୍ଛତା ଓ ଦୁର୍ନିତିମୁକ୍ତ ସରକାରର ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାରଙ୍କ ସ୍ୱଚ୍ଛତାକୁ ନେଇ ବିରାଟ ପ୍ରଶ୍ନ ଛିଡ଼ା ହୋଇଛି । ରାଜ୍ୟବାସୀଙ୍କ ହିତ ପାଇଁ ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବହୁ ଯୋଜନା କରିଛନ୍ତି । ଏହି ଯୋଜନାଗୁଡ଼ିକ କେବଳ ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଭୁବନେଶ୍ୱର ଗ୍ରାମାଞ୍ଚଳର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ)ଙ୍କ କାର୍ୟ୍ୟାଳୟ ଅନ୍ତର୍ଗତ ଅଙ୍ଗନବାଡ଼ି କେନ୍ଦ୍ରରେ । ଅର୍ଥାତ୍ ଅନେକ କ୍ଷେତ୍ରରେ ଏହି ଯୋଜନାଗୁଡ଼ିକର ସୁଫଳ ମିଳିପାରୁନାହିଁ । ଏହି ଦୁର୍ନିତିର ଏକ ଅଡ଼ିଓ ବାର୍ତାଳାପ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଯେଉଁଥିରେ କି ଭୁବନେଶ୍ୱର ଗ୍ରାମାଞ୍ଚଳର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ) କବିତା ମହାପାତ୍ରଙ୍କ ନିଜ ଅଧୀନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟାପକ ଦୁର୍ନିତି, ଅନିୟମିତା, ଚରମ ଅବହେଳା ନିଜ ବିଭାଗର ଅଙ୍ଗନବାଡ଼ି ସୁପର ଭାଇଜର ବୀଣା ଦାସଙ୍କ ବିରୁଦ୍ଧରେ ଆଣିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରକୁ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆସୁଥିବା ଛତୁଆ ଓ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟଗୁଡିକ ନିମ୍ନମାନର ରହୁଛି ବୋଲି ଲିଙ୍ଗିପୁର, ସେକ୍ଟର-୧, ଶିଶୁପାଳ ଓ ବାସୁଆଘାଇ ପଞ୍ଚାୟତର ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ ମହିଳା ଓ ଶିଶୁମାନଙ୍କ ଜୀବନ ସହିତ ଖେଳିବା ପାଇଁ ଏମାନଙ୍କୁ କିଏ ଅଧିକାର ଦେଇଛି ? ଏପରିକି ଅଙ୍ଗନବାଡ଼ି ସୁପର ଭାଇଜର ବୀଣା ଦାସଙ୍କ କାର୍ୟ୍ୟକଳାପରେ ସେ ଅସନ୍ତୁଷ୍ଟ ଓ ସେ ନିଜ ଇଚ୍ଛାରେ କାର୍ୟ୍ୟ କରିବା, କେତେଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ଏକଛତ୍ରବାଦ ଚଳାଇବା, ସରକାରୀ କାର୍ୟ୍ୟ ଠିକ୍ ଭାବରେ ନତୁଲାଇବା ଆଦି ଅଭିଯୋଗମାନ ସିଡ଼ିପିଓ ମହୋଦୟା କରିଛନ୍ତି । ସେ ଏ ବାବଦରେ ସରକାରଙ୍କୁ ପତ୍ର ଲେଖିଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ମହିଳା ଓ ଶିଶୁମାନଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା ଓ ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହାର ନଗ୍ନ ଚିତ୍ର ଉକ୍ତ ପଞ୍ଚାୟତମାନଙ୍କରେ ଦେଖିବାକୁ ମିଳିଛି । ଭୁବନେଶ୍ୱର ଗ୍ରାମ୍ୟ ସିଡ଼ିପିଓ କବିତା ମହାପାତ୍ରଙ୍କ ତତ୍ୱାବଧାନରେ ଥିବା ୧୯୦ଟି ଅଙ୍ଗନବାଡ଼ି କେନ୍ଦ୍ରର ଖାଦ୍ୟର ମାନ ଯାଂଚ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବିଙ୍କ ସହିତ ଗ୍ରାମବାସୀ ସରକାରଙ୍କୁ ଦାବି ଓ ଅନୁରୋଧ କରିଛନ୍ତି । ଏଥି ସହ ତୁରନ୍ତ ଦୁର୍ନିତିଗ୍ରସ୍ତ କର୍ମଚାରୀଙ୍କୁ ବାହାର କରନ୍ତୁ ବୋଲି ସରକାରଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।