SUNSTARTV
ଭୁବନେଶ୍ୱର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଚଳିତ ଥର ନିର୍ବାଚନ କିପରି ସୁରୁଖୁରୁରେ ହେବ ସେନେଇ ଚାଲୁଛି ଘନ ଘନ ବୈଠକ । ନିର୍ବାଚନ ସମୟରେ ଆଇନ୍ ବ୍ୟବସ୍ଥା ଠାରୁ ଆରମ୍ଭ କରି ଭୋଟ କିଣା ବିକା, ଗୁଣ୍ଡାଗିରି, ପରି ସମସ୍ୟା କିପରି ନ ହେବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ତେବେ ଏହାରି ଭିତରେ ନିର୍ବାଚନ କମିଶନ ଏକ ନୂଆ ନିୟମ ଲାଗୁ କରିଛନ୍ତି । ଯାହାକି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଲାଭ ଦାୟକ ହେବ ବୋଲି ଆଶା କରାଯାଉଛି ।
ସୂଚନା ଅନଯାୟୀ, ଅଧିକାରୀଙ୍କ ବଦଳି ଉପରେ ନିର୍ବାଚନ କମିଶନଙ୍କ ନୂଆ ନିୟମ ଲାଗୁ କରିଛନ୍ତି । ଜଣେ ଅଧିକାରୀଙ୍କୁ ସମାନ ଲୋକସଭା ନିର୍ବାଚନମଣ୍ଡଳୀରେ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ବଦଳି କରାନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇଲେକ୍ସନ୍ କମିଶନ । ଏଥିସହିତ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ ପରେ ଜଣେ ଅଧିକାରୀ ଯେପରି ସମାନ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ପଡ଼ୋଶୀ ଜିଲ୍ଲାକୁ ବଦଳି ହୋଇନଥାନ୍ତି ତାହା ନିଶ୍ଚିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଏ ନେଇ ସବୁ ରାଜ୍ୟକୁ ପତ୍ର ଲେଖିଛନ୍ତି । ଆଗାମୀ ନିର୍ବାଚନ ପାଇଁ ନିୟମକୁ କଡାକଡି କରାଯିବା ଉପରେ କମିଶନ ଗୁରୁତ୍ୱ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନର ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ଏହି ଗସ୍ତ ୧୩ ତାରିଖ ପୂର୍ବରୁ ସରିବ ବୋଲି ଆଶଙ୍କ କରାଯାଉଛି । ଏହାପରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇପାରେ । ତେବେ ନିର୍ବାଚନ କମିଶିନର ଓଡିଶା ପରେ ଏବେ ବିହାର ଗସ୍ତରେ ଅଛନ୍ତି । ଏଥିସହିତ ସେ ବିଭିନ୍ନ ରାଜନୈତିକ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି । ଏଥିସହିତ ସେ ପଶ୍ଚିମବଙ୍ଗର ସମ୍ବେଦନଶୀଳ ବୁଥ୍ ଗୁଡିକର ତାଲିକା ମଧ୍ୟ ମାଗିଛନ୍ତି ।
ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ଜମ୍ମୁ-କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ କିଛିମାସ ହେବ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ପ୍ରକ୍ରୀୟାକୁ ବର୍ତ୍ତମାନ ଅଧିକ ତ୍ୱରାନ୍ୱିତ କରାଯାଇଛି । ଏହା ବ୍ୟତୀତ ଚଳିତ ବର୍ଷ ନିର୍ବାଚନରେ ଏଆଇର ସାହାଯ୍ୟ ନେବାକୁ ନିଷ୍ପତି ନେଇଛନ୍ତି ନିର୍ବାଚନ କମିଶନ । ତେବେ ଏନେଇ ଏକ ବିଶେଷ ବିଭାଗ ଗଠନ କରାଯାଇଥିବା ଜଣାପଡିଛି ।