Sunstar Tv
ମ୍ୟାଟ୍ରିକ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ପ୍ରସଙ୍ଗକୁ ନେଇ ବିଜେଡ଼ି ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ଯୁବ ମୋର୍ଚ୍ଚା। ଆଜି ବିଜେପି ପାର୍ଟିର ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସାମ୍ବାଦିକ ସମ୍ମିଲନୀ କରି ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
ନିଜ ବ୍ୟବସ୍ଥାରେ ଥିବା ଲୋକଙ୍କୁ ଧରି ପାରୁନାହାନ୍ତି ଗଣ ଶିକ୍ଷା ମନ୍ତ୍ରୀ। ମନ୍ତ୍ରୀ ଇସ୍ତଫା ନଦେଲେ ତାଙ୍କ ବାସଭବନ ଘେରାଉ କରିବା ସହ ଆନ୍ଦୋଳନ ଚେତାବନୀ ଦେଇଛି ବିଜେପି।
ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣାରେ ବିଜେଡ଼ିର ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି। ପ୍ରଶ୍ନ ପତ୍ର ଲିକ୍ ପାଇଁ କୌଣସି ଅଫିସର ଉତ୍ତର ଦାୟିତ୍ଵ ନନେବା କିମ୍ବା କେହି ନିଲମ୍ବିତ ନହେବା ସ୍ପଷ୍ଟ କରୁଛି ଯେ ବିଜେଡ଼ି ସରକାର ସେମାନଙ୍କୁ ସୁରକ୍ଷା ଦେଉଛି ଅଭିଯୋଗ କରିଛି।
ପରୀକ୍ଷା ସୁପରିଚାଳନା ପାଇଁ ସରକାର AI ଓ ସିସି ଟିଭି କ୍ୟାମେରା ଲଗାଇଲେ। କିନ୍ତୁ ବିଜେଡ଼ି ନେତା ଓ ପ୍ରଶ୍ନ ପତ୍ର ଲୋକ କରୁଥିବା ଲୋକଙ୍କୁ କିଏ ଜଗିବ ?
ଯେଉଁ ମାନେ ପ୍ରଶ୍ନ ପତ୍ର ପ୍ରଘଟ ଘଟଣାରେ ସାମିଲ ହେଉଛନ୍ତି, ସେମାନଙ୍କୁ ଜଗିବା ପାଇଁ AI ବ୍ୟବସ୍ଥା କରାଯାଇଛି କି ? ପ୍ରତି ବର୍ଷ ଏମିତି ପ୍ରଶ୍ନ ପତ୍ର ଲିକ୍ ହେଉଛି। ପ୍ରଶ୍ନ ପତ୍ର ବାହାରକୁ ଆସିବା ଓ ଉତ୍ତର ସହ ଘୁରି ବୁଲିବା ଚିନ୍ତାର ବିଷୟ।
ଓଡ଼ିଆ ମାଧ୍ୟମ ପିଲାଙ୍କୁ ପଛୁଆ କରି ରଖିବା ପାଇଁ ଏହା ସରକାରଙ୍କ ଷଡ଼ଯନ୍ତ୍ର। ଅଣ ଓଡ଼ିଆ ମାନଙ୍କ ଦ୍ଵାରା ପରିଚାଳିତ ସରକାର ଏହାର ପରିଣାମ ଆଗାମୀ ନିର୍ବାଚନର ଭୋଗିବ। ଓଡ଼ିଶା ପରୀକ୍ଷା ପରିଚାଳନାରେ ତ୍ରୁଟି ଥିବା ରାଜ୍ୟରେ ପରିଣତ ହୋଇଛି।
ପ୍ରତିଯୋଗିତା ମୂଳକ ପରୀକ୍ଷା ହେଉ ବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ପରୀକ୍ଷା ସବୁଥିରେ ତ୍ରୁଟି ଦେଖିବାକୁ ମିଳୁଛି। ଗତ ୫ ବର୍ଷ ଧରି ବ୍ୟାପକ ଅନିୟମିତତା ହେଉଛି। ଯାହାଦ୍ବାରା ଛାତ୍ରଛାତ୍ରୀ ଓ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଛି ।