(SunstarTV) ଚାନ୍ଦବାଲି : ରାତି ପହିଲେ ହେବ ଝିଅର ବାହାଘର I ବନ୍ଧୁ ବାନ୍ଧବଙ୍କ ପାଖରୁ ଆରମ୍ଭ କରି ଜ୍ଞାତି ପରିଜନରେ କମ୍ପି ଉଠୁଥିଲା ଘର I ଝିଅକୁ ଦେବା ପାଇଁ ସାରିଥିଲା ସବୁ କିଛି କିଣାକିଣି I ନିଜ ଜୀବନର ସବୁ ଜମା ପୁଞ୍ଜି ବାପା ଖର୍ଚ୍ଚ କରି ସାରିଥିଲେ I ଲୁଗାପଟା ଠାରୁ ଆରମ୍ଭ କରି ସୁନା ଗହଣା ବାସନକୁସନ ସବୁକୁ ସାଇତି ରଖିଥିଲା ମା I ରାତି ପହିଲେ ବର ଆସିବ ବେଦିରେ ଜଳିବ ହୋମ ନିଆଁ ଝିଅର କନ୍ୟା ଦାନ କରିବେ ବାପା I କିନ୍ତୁ ଏସବୁ ହେବା ପୂର୍ବରୁ ଘଟିଗଲା ଏକ ବଡ ଅଘଟଣ I ଚାହୁଁ ଚାଁହୁ ସବୁକିଛି ଜାଳି ପୋଡି ପାଉଁଶ ହୋଇଗଲା ଆଉ ସେଥିରେ ଜଳିଗଲା ଝିଅ ପାଇଁ ଦେଖିଥିବା ସବୁ ସ୍ବପ୍ନ I ମୁଣ୍ଡ ଝାଳ ତୁଣ୍ଡରେ ମାରି ଝିଅ ପାଇଁ କରିଥିବା ସବୁ ଜିନିଷ ମଧ୍ୟ ପୋଡି ଜଳି ପାଉଁଶ ହୋଇଗଲା I
ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ପଞ୍ଚାୟତ ଉତୁକୁଡା ଗାଁ ରେ I ସେହି ଗ୍ରାମର ରବୀନ୍ଦ୍ର ରାଉତଙ୍କ ଘରେ ନିଆଁ ଲାଗି ତିନି ବଖରା ଘର ଜଳି ପୋଡି ପାଉଁଶ ଯାଇଛି I ଏଥିସହିତ ଘରେ ଥିବା ସମସ୍ତ ଆସବାବ ପତ୍ର ସହ ଘର କରଣା ସାମଗ୍ରୀ ମଧ୍ୟ ପୋଡି ଜଳି ନଷ୍ଟ ହୋଇଯାଇଛି I ସବୁଠୁ ଦୁଃଖର ବିଷୟ ହେଉଛି ରବୀନ୍ଦ୍ର ରାଉତ ତାଙ୍କ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଜିନିଷ ପତ୍ର ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ପୋଡ଼ିଯାଇଥିବା ସୂଚନା ମିଳିଛି I
ତେବେ ଆଜି ରବୀନ୍ଦ୍ରଙ୍କର ଝିଅ ବାହାଘର ପାଇଁ ଲଗ୍ନ ହେବାର ଥିଲା l ତେଣୁ ବାହାଘରରେ ରବୀନ୍ଦ୍ର ଝିଅ ଜ୍ୱାଇଁଙ୍କୁ ଦେବା ପାଇଁ ସ୍ବର୍ଣ୍ଣ ଅଳଙ୍କାର ସମେତ ଆସବାବପତ୍ର ଓ କିଛି ପିତଳ ସାମଗ୍ରୀ କିଣି ଘରେ ରଖିଥିଲେ l କିନ୍ତୁ ଦଇବର ଲେଖା କିଛି ଅଲଗା ଥିଲା ଫଳରେ ଗତକାଲି ବିଳମ୍ବିତ ରାତିରେ ରବୀନ୍ଦ୍ରଙ୍କ ଘରେ ନିଆଁ ଲାଗି ତାଙ୍କର ୩ ବଖରା ଘର ସହ ସବୁ କିଛି ପୋଡି ଜଳି ପାଉଁଶ ହୋଇଯାଇଛି I ଏହି ଘଟଣାର ଖବର ପାଇ ଚାନ୍ଦବାଲିରୁ ଦମକଳ ଯାଇ ନିଆଁ କୁ ଆୟତ୍ତ କରିବା ପୂର୍ବରୁ ସବୁକିଛି ଜଳିପୋଡି ନଷ୍ଟ ଯାଇଥିଲା l ଏହାପରେ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ଘଟଣା ସ୍ଥଳରେ ପହଂଚି ଅଗ୍ନି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଅନୁରୋଧ କରିବେ ବୋଲି ସେ କହିଥିବା ଜଣାପଡିଛି |