ନୂଆଦିଲ୍ଲୀ (SunstarTV):ସାଧାରଣ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସେତେ ସରଗରମ ହେଉଛି । ଗାଁ ଠାରୁ ଆରମ୍ଭ କରି ସହର ସବୁଠି ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା । ଏଥର ନିର୍ବାଚନରେ କିଏ ବାଜିମାତ୍ କରିବ, ଜନସାଧାରଣ କାହାକୁ ଭୋଟ ଦେବେ, ତାକୁ ନେଇ ଚାଲିଛି ଅଙ୍କ କସା । ବିଭିନ୍ନ ଦଳର ହେବିୱେଟ୍ ନେତାମାନେ ନିଜ ଦଳକୁ ଜିତାଇବା ପାଇଁ ପ୍ରସୁତ କରୁଛନ୍ତି ରଣ ନିତି । ଘନ ଘନ ବୈଠକ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଚାଲୁଛି ରାଲି । ରାଜନୀତୀର ବୈତରଣୀ ପାର ହେବ ପାଇଁ ପ୍ରତ୍ୟେକ ଦଳ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ । ଏହାରି ଭିତରେ ଏକ ସର୍ବେ ରିପୋର୍ଟ ସାମ୍ନାକୁ ଆସିଛି । ଯାହାକି ରାଜ୍ୟ ରାଜନିତିକୁ ଆହୁରି ଉଷ୍ମ କରିଛି ।
ନିକଟରେ ଜାତୀୟ ସ୍ତରର ସର୍ବେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଆସନ୍ତା ୨୦୨୪ ନିର୍ବାଚନରେ ଓଡିଶାରେ ବିଜେଡି ଦଳ ପୁଣିଥରେ ସରକାର ଗଢିବ ବୋଲି ଆକଳନ କରାଯାଉଛି । ୨୦୨୪ରେ ବିଡେଡିକୁ ମିଳିବ ବଡ ସଫଳତା । ଲୋକସଭାରେ ବାଜି ମାରିବ ବିଜେଡି । ଏକ ଜାତୀୟ ସର୍ଭେରେ ଏଭଳି ତଥ୍ୟ ଆସିଛି। ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟର ୨୧ ଲୋକସଭା କ୍ଷେତ୍ର ମଧ୍ୟରୁ ବିଜେଡି ୧୮ଟି ଆସନ ଦଖଲ କରିବ। ସେହିପରି ବିଜେପି ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନ ଦାଖଲ କରିବ ବୋଲି ଜାତୀୟ ସର୍ଭେରୁ ଆକଳନ କରାଯାଇଛି । ୨୦୧୯ ନିର୍ବାଚନରେ ବିଜେଡି ୧୨ଟି ଆସନରୁ ଜିତିଥିବା ବେଳେ ବିଜେପି ୮ଟିରୁ ଓ କଂଗ୍ରେସ ଗୋଟିଏ ଆସନ ପାଇଥିଲା। କିନ୍ତୁ ୨୦୨୪ରେ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ରାଜ୍ୟବାସୀ ବିଜେଡିକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ସର୍ଭେ ଆକଳନ ଅନୁଯାୟୀ ୨୦୧୯ରେ କଂଗ୍ରେସ କୋରାପୁଟ ଲୋକସଭା ଆସନ ହାତେଇଥିଲା। ଏଥର କିନ୍ତୁ ଚିତ୍ର ବଦଳିଛି । କୋରାପୁଟ ଆସନଟି ଏବେ ବିଜେଡି ଖାତାକୁ ଯିବ ବୋଲି ଅନୁମାନ କରାଯାଉଛି । ସେହିପରି ଭୁବନେଶ୍ବର, ବାଲେଶ୍ବର ଓ ମୟୁରଭଞ୍ଜ ଆସନ ୨୦୧୯ରେ ବିଜେପି ଖାତାକୁ ଯାଇଥିବା ବେଳେ ୨୦୨୪ରେ ଏହି ତିନୋଟି ଯାକ ଆସନରେ ବିଜେଡି ବାଜିମାତ କରିବ ବୋଲି ଆଶା କରାଯାଉଛି। ସୁନ୍ଦରଗଡ, ବରଗଡ, ସମ୍ବଲପୁର, କଳାହାଣ୍ଡି ଓ ବଲାଙ୍ଗିର ପଶ୍ଚିମ ଓଡିଶାର ଏହି ୫ ଆସନରେ ବିଜେଡି କଡା ଟକ୍କର ଦେବ। ଏହି ୫ ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି, ବିଜେପି ଦୁଇଟି ଓ କଂଗ୍ରେସ ଗୋଟିଏ ଆସନରୁ ଜିତିବାର ସମ୍ଭାବନା ରହିଛି।
ଏଭଳିକି ଓଡିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡି ୧୮ଟି ଜିତିବ। ବିଜେପି ୨ଟି ଓ କଂଗ୍ରେସ ଗୋଟିଏ ଆସନରୁ ଜିତିପାରେ ବୋଲି ଆକଳନ କରାଯାଉଛି। ଏହି ସର୍ଭେରୁ ପ୍ରମାଣିତ ହେଉଛି ଯେ ବିଜେଡି ସପକ୍ଷରେ ରାଜ୍ୟରେ ବ୍ୟାପକ ଜନସମର୍ଥନ ରହିଛି। ଗତ ୨୪ ବର୍ଷ ଧରି ବିଜେଡି ରାଜ୍ୟରେ କ୍ଷମତାରେ ଥିବା ସତ୍ତ୍ବେ ସରକାର ବିରୋଧୀ ହାୱା ସୃଷ୍ଟି ହୋଇନାହିଁ। ବରଂ ବିକାଶମୂଳକ କାର୍ୟ୍ୟ ପାଇଁ ବିଜେଡି ପ୍ରତି ଜନସମର୍ଥନ ବଢୁଛି।