sunstartv : ଆଗକୁ ଆସୁଛି ସାଧାରଣ ନିର୍ଵାଚନ । ଯାହାକୁ ନେଇ ରାଜନୀତିକ ପାଣିପାଗ ସରଗରମ ରହିଛି | ବିଭିନ୍ନ ଦଳର ନେତା ମାନେ ନିଜ ଦଳକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି | କିଏ ଭୋଟରଙ୍କୁ ହାତେଇବା ପାଇଁ ରାଲି କରୁଛି ତା ଆଉ କିଏ କରୁଛି ବୈଠକ | ରାଜନୀତିର ବୈତରଣୀ ପାର ହେବା ପାଇଁ ପ୍ରତ୍ୟକ ଦଳରେ ଚାଲିଛି ଅଙ୍କ କସା | ବିଭିନ୍ନ ଦଳର ହେବିୱେଟ ନେତା ମାନେ ନିର୍ବାଚନମଣ୍ଡଳୀ ବୁଲି ନିଜ ଦଳକୁ ମଜବୁତ କରିବାକୁ ପ୍ରୟାସ କରୁଛନ୍ତି | ଏହାରି ମଧ୍ୟରେ ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ୬ ଘଣ୍ଟାରେ ତିିନି ଜିଲ୍ଲା ଗସ୍ତ କରି ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେବେ । ଏଥିସହିତ ୨୦୧୯ରେ ଯେଉଁସବୁ ଲୋକସଭା ଆସନରେ ଦଳ ପରାଜିତ ହୋଇଥିଲା ତାକୁ ଗୁରୁତ୍ୱ ଦେଉଛନ୍ତି । ସେ ନବରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦଳର କୋର କମିଟି ବୈଠକରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହାପରେ ସେ ଜଗଦଲପୁର ବିମାନବନ୍ଦରକୁ ଯାଇ ଅନ୍ୟ ଏକ ହେଲିକପ୍ଟର ଯୋଗେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ ।
ସେହିପରି ୧ଟା ୩୦ରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ପହଞ୍ଚି ଅପରାହ୍ନ ୧ଟା ୪୫ରୁ ୨ଟା ୪୫ ମଧ୍ୟରେ କାର୍ଯ୍ୟନିର୍ବାହୀ ସଦସ୍ୟ ବୈଠକରେ ଉଦବୋଧନ ଦେବେ । ଏହାପରେ ଅପରାହ୍ନ ୩ଟାରେ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଅଭିମୁଖେ ବାହାରି ଅମର୍ଦ୍ଦା ଏୟାର ଷ୍ଟ୍ରିପରେ ଅବତରଣ କରିବେ ଏବଂ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ସେ କାର୍ଯ୍ୟକାରିଣୀ ସଦସ୍ୟ ବୈଠକରେ ଯୋଗଦେବେ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସନ୍ଧ୍ୟା ସାଢ଼େ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ରହିଛି । ଏହି ସମୟରେ ସେ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ । ବିଧାନସଭା ଆସନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚିବ ସେ ନେଇ ରାଜନାଥ ସିଂହ ଦେବେ ଗୁରୁମନ୍ତ୍ର ।